ରାଜସ୍ଥାନରେ ହାରିବ ହାତ!

34

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସରିବା ପରେ ଏବେ ବିଜେପି ଫୋକସରେ ରାଜସ୍ଥାନ। କଂଗ୍ରେସର ଗେହଲଟ ପାଇଲଟ ଲଢେଇ ମଧ୍ୟରେ ବିଜେପି ରାଜସ୍ଥାନରେ ଫାଇଦା ନେବାକୁ ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ଏହି କ୍ରମରେ ମେ ୧୦ ତାରିଖ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ବହୁ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବେ।

ଏଭଳି ସ୍ଥିତିରେ ଗେହଲଟ ସରକାର ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହଯୋଗ ପାଇଁ ଭାଙ୍ଗିବାରୁ ବଂଚିଯାଇଥିବା ସମ୍ପର୍କିତ ଗେହଲଟଙ୍କ ମନ୍ତବ୍ୟ ବିଜେପି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି। ସେପଟେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି। ସ୍ଥାନୀୟ ନଗର ନିଗମ ଓ ପଂଚାୟତ ସ୍ତରୀୟ ଉପନିର୍ବାଚନରେ କଂଗ୍ରେସକୁ ଝଟକା। ୧୨ ଟି ଜିଲ୍ଲାରେ ୧୪ ଟି ସିଟରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ୪ ଟି ସିଟରେ ଜିତିଥିବା ବେଳେ ବିଜେପି ଆଠଟି ସିଟରେ ଜିତିଛି। ଦୁଇଟି ସିଟରେ ନିର୍ଦଲୀୟ ପ୍ରାର୍ଥୀ ଜିତିଛନ୍ତି।

ଉପନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ବେଶ ଉତ୍ସାହିତ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନରେ ଲୋକମାନେ କଂଗ୍ରେସ ବିରୋଧରେ ବିଗୁଲ ବଜାଇ ଦେଇଥିବା ବିଜେପି ପକ୍ଷରୁ କୁହାଯାଇଛି। ଗେହଲଟ ସରକାରଙ୍କ ଓଲଟା ଗଣତି ଆରମ୍ଭ ହୋଇଯାଇଛି ବୋଲି ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସି ପି ଯୋଶୀ କହିଛନ୍ତି। ଏହି ଫଳାଫଳ ବିଜେପି ନେତାଙ୍କ ମନୋବଳ ବଢ଼ାଇବ ବୋଲି କୁହାଯାଉଛି। ବିଜେପି ରାଜସ୍ଥାନକୁ ଫୋକସ କରିଥିବା ବେଳେ କଂଗ୍ରେସ ପାଇଁ ଗୋଷ୍ଠୀ ବିବାଦ କାଳ ହୋଇଛି। କିନ୍ତୁ ଏ ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ କିନ୍ତୁ ଏବେ ପୁଣିଥରେ ସରକାରକୁ ଫେରିବାକୁ ସମସ୍ତ ଉଦ୍ୟମ କରୁଛନ୍ତି।

କଂଗ୍ରେସର ଯୁବ ନେତା ସଚିନ ପାଇଲଟ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗେହଲଟ କିନ୍ତୁ ନିଜର ରାଜନୈତିକ ଚାଲ ଖେଳିବା ଆରମ୍ଭ କରିଛନ୍ତି। ଗେହଲଟ ଉଦୟପୁରକୁ ଅଧିକ ଫୋକସ କରୁଥିବା ଦେଖିବାକୁ ମିଳିଛି। ଉଦୟପୁରର ଆଦିବାସୀ ଅଞ୍ଚଳ କୋଟଡା, ଝାଡୋଲ ପରେ ଏବେ ମାଵଲୀ ଉପରେ ଗେହଲଟଙ୍କ ନଜର ରହିଛି। ରାଜସ୍ଥାନରେ ଆଦିବାସୀ ଭୋଟ କଂଗ୍ରେସ ସପକ୍ଷରେ ଯାଉଥିବା ବେଳେ ପୂର୍ବ ନିର୍ବାଚନରେ ଭୋଟ ବିଜେପିକୁ ଡାଇଭର୍ଟ ହୋଇଥିବା ଦେଖାଯାଏ। ତେଣୁ ଏଭଳି ସ୍ଥିତିରେ ଗେହଲଟଙ୍କ ପ୍ରୟାସ କେତେ ସଫଳ ହେବ ଓ ପାଇଲଟଙ୍କ ଆଭିମୁଖ୍ୟ ଆଗାମୀ ଦିନରେ କଣ ହେବ ତା ଉପରେ ନଜର।

Comments are closed, but trackbacks and pingbacks are open.