ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ

23

ଭୁବନେଶ୍ବର: ମାର୍ଗଶିର ଶୁକ୍ଳ ପଞ୍ଚମୀ ରାତିରେ ଶ୍ରୀଜଗନ୍ନାଥ ସବୁ ଦିନ ପରି ପାରମ୍ପରିକ ଗୀତଗୋବିନ୍ଦ ଖଣ୍ଡୁଆ ନ ପିନ୍ଧି ଖୁବ୍ ପତଳା ବସ୍ତ୍ର ପରିଧାନ କରନ୍ତି । ଏହାର ତାତ୍ପର୍ଯ୍ୟ ହେଉଛି, ସେ ଶୀତର ପ୍ରକୋପକୁ ଅସ୍ୱୀକାର କରନ୍ତି । କଥିତ ଅଛି ଯେ ଏହା ଫଳରେ ଶୀତ ଡରିଯାଇ ତାଙ୍କର ଶରଣରେ ପଶେ ଏବଂ କହେ, ମୋର ସ୍ରଷ୍ଟା ଆପଣ । ଆପଣ ଯଦି ମୋତେ ଅସ୍ୱୀକାର କରିବେ, ଅନ୍ୟମାନେ ସ୍ୱୀକାର କରିବେ କାହିଁକି । ସେଥିରେ ତୁଷ୍ଟ ହୋଇ ଶ୍ରୀଜଗନ୍ନାଥ ଶୀତକୁ ସ୍ୱୀକାର କରନ୍ତି ଏବଂ ଓଢ଼ଣ ଷଷ୍ଠୀ ଠାରୁ ଗଡ଼ା (ସୁତାବସ୍ତ୍ର), ଖଣ୍ଡୁଆ ପାଟ, ମଖମଲି ଘୋଡ଼ବସ୍ତ୍ର, ଶିରାବରଣ (ମଫଲର) ଓ ଟୋପର ଆଦି ପିନ୍ଧନ୍ତି । କିନ୍ତୁ ଏ ଶୀତ ସହ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେ ସଂସାରର ଲୋକଙ୍କୁ ଅଧିକ କଷ୍ଟ ଦେବନାହିଁ । ଏହିସବୁ ବସ୍ତ୍ର ତାଙ୍କୁ ପରିଧାନ କରାଯିବାବେଳେ ଆଚ୍ଛାଦନ ମନ୍ତ୍ରରେ କୁହାଯାଏ-ହେ ବସ୍ତ୍ର ! ଭଗବାନ ବିଷ୍ଣୁ ନିଜର ତେଜ ଦ୍ୱାରା ଅଖିଳ ଜଗତକୁ ଆବରଣ କରି ରଖିଥିଲେ ହେଁ ତୁମ୍ଭେ ସେହି ଜଗପତି ଭଗବାନଙ୍କର ଆଚ୍ଛାଦକ ହୁଅ । ଏହାର ତାତ୍ପର୍ଯ୍ୟ ହେଉଛି- ଭଗବାନ ନିଜେ ଶୀତକୁ ସ୍ୱୀକାର କରୁଥିବାରୁ ଆମେ ମଧ୍ୟ ଶୀତକୁ ସ୍ୱୀକାର କରିବା ନିଜର ସୁରକ୍ଷା ପାଇଁ ଶୀତବସ୍ତ୍ର ପରିଧାନ କରିବା । ବିଧି ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।
ପ୍ରତ୍ୟେକ ଋତୁଙ୍କ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଋତୁ ଅନୁଯାୟୀ ବେଶ ଓ ଉତ୍ସବ ମାନ ଅନୁଷ୍ଠିତ ହୋଇଥାଏ । ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ । ଏହି ସମୟରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ ଏହି ଦିନୁ ମହାପ୍ରଭୁମାନଙ୍କ ସହିତେ ସବୁ ଦେବାଦେବୀଙ୍କ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ । ଏହା ମହାପ୍ରଭୁ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା । ସମସ୍ତ ସପ୍ତଧା ବିଗ୍ରହ ସହିତେ ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ । ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟ ଏହା ହେଉଛି ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଯାତ୍ରା । ମହାପ୍ରଭୁ ଏହିଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି । ଏହି ଘୋଡ଼ଲାଗି ପ୍ରାବରଣ ଷଷ୍ଠୀରୁ ଆରମ୍ଭ ହୋଇ ସରସ୍ୱତୀ ପୂଜା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସମସ୍ତ ଶିବାଳୟରେ ଓ ଦେବୀ ମନ୍ଦିରରେ ଘୋଡ଼ଲାଗି ପର୍ବ ଅନୁଷ୍ଠିତ ହୋଇଥାଏ । ଘୋଡ଼ ଅନ୍ୟ ନିତିଦିନ ବସ୍ତ୍ର ପରି ଏହା ବାରଲାଗି ବର୍ଣ୍ଣ ହୋଇଥାଏ । ସୋମବାର ଶୁକ୍ଳ, ମଙ୍ଗଳବାର ବାରପାଟିଆ(ପଞ୍ଚରଙ୍ଗି), ବୁଧବାର ସବୁଜ, ଗୁରୁବାର ପୀତ, ଶୁକ୍ରବାର ଧଳା ଛିଟା, ଶନିବାର କଳା ଓ ରବିବାର ନାଲି ରଙ୍ଗର ହୋଇଥାଏ । ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ ।

Comments are closed, but trackbacks and pingbacks are open.