ଲିଜ୍ ଟ୍ରସ୍ ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ

30

ଲଣ୍ଡନ: ଲିଜ୍ ଟ୍ରସ୍ ବ୍ରିଟେନରେ କ୍ଷମତାସୀନ କନ୍‌ଜର୍ଭେଟିଭ୍ ପାର୍ଟିର ନେତା ନିର୍ବାଚିତ ହୋଇଥିବାବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ହାସଲ କରିଛନ୍ତି । ଟ୍ରସ୍‌ଙ୍କୁ ୮୧,୩୨୬ଟି ଭୋଟ୍ ମିଳିଥିବାବେଳେ ସୁନକ୍‌ଙ୍କୁ ୬୦,୩୯୯ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି । ଭୋଟିଂ ପ୍ରକ୍ରିୟାରେ କନ୍‌ଜର୍ଭେଟିଭ୍ ପାର୍ଟିର ପ୍ରାୟ ୧,୪୦,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ । ସୋମବାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ୍ ନିକଟବର୍ତ୍ତୀ କୁଇନ୍ ଏଲିଜାବେଥ୍ ସେଣ୍ଟରରେ ଦଳୀୟ ନିର୍ବାଚନ କମିଟିର ବରିଷ୍ଠ ସାଂସଦ ସାର୍ ଗ୍ରାହାମ ବାର୍ଡି ଫଳାଫଳ ଘୋଷଣା କରିଥିଲେ । ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାରେ ୪୭ ବର୍ଷୀୟା ଟ୍ରସ୍ ହେଉଛନ୍ତି ତୃତୀୟ ମହିଳା । ଇତିପୂର୍ବରୁ ମାର୍ଗାରେଟ୍ ଥାଚର (୧୯୭୯-୧୯୯୦) ଓ ଥେରେସା ମେ’ (୨୦୧୬-୨୦୧୯) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀଭାବେ ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି ।
ଚଳିତବର୍ଷ ଜୁଲାଇରେ ବୋରିସ ଜନସନ୍‌ଙ୍କ ଇସ୍ତଫା ପରେ ପରବର୍ତ୍ତୀ କନ୍‌ଜର୍ଭେଟିଭ୍ ଦଳର ନେତୃତ୍ୱକୁ ନେଇ ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା । ଶେଷର ଏହି ଲଢେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ ଏବଂ ପୂର୍ବତନ ବିଦେଶମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କ ମଧ୍ୟରେ ସୀମିତ ରହିଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସୁନକ୍ ଆଗୁଆ ରହିଥିଲେ ସୁଦ୍ଧା ଟ୍ରସ୍‌ଙ୍କ ସପକ୍ଷରେ ଦଳୀୟ ଏମ୍‌ପିଙ୍କ ସମର୍ଥନ କ୍ରମଶଃ ବୃଦ୍ଧି ପାଇଥିଲା । ତେବେ ସୁନକ୍‌ଙ୍କ ପରାଜୟ ପଛରେ ଦୁଇଟି ପ୍ରମୁଖ କାରଣ ରହିଥିବା ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ପ୍ରଥମ କାରଣ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଜନସନଙ୍କୁ ହଟାଇବା ପାଇଁ ସୁନକ୍ ଚକ୍ରାନ୍ତ କରିଥିଲେ ବୋଲି ଦଳରେ ମତପ୍ରକାଶ ପାଇଥିଲା । ଦ୍ୱିତୀୟରେ ସୁନକ୍ ଅର୍ଥମନ୍ତ୍ରୀ ଥିବାବେଳେ ଟିକସ ବ୍ୟବସ୍ଥାରେ ଯେଉଁ ଅସମାନତା ଦେଖାଦେଇଥିଲା, ସେଥିରେ ସୁଧାର ଆଣିବେ ବୋଲି ଟ୍ରସ୍ ଦେଇଥିବା ନିର୍ଭର ପ୍ରତିଶ୍ରୁତି ହିଁ ସୁନକଙ୍କ ବିଜୟପଥରେ କଣ୍ଟା ସାଜିଥିଲା । ସଂଶୋଧିତ ଟିକସ ବ୍ୟବସ୍ଥା ଦ୍ୱାରା ବ୍ରିଟିଶ ନାଗରିକଙ୍କ ଚଳଣି ସ୍ୱାଚ୍ଛନ୍ଦ ହୋଇପାରିବ ବୋଲି ଜନମତ ପ୍ରକାଶ ପାଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବାପରେ ଟ୍ରସ୍ ୧୯୯୬ରେ କନ୍‌ଜର୍ଭେଟିଭ୍ ପାର୍ଟିରେ ଯୋଗଦେଇଥିଲେ । ୨୦୧୦ ସାଧାରଣ ନିର୍ବାଚନରେ ସେ ସାଉଥ୍ ୱେଷ୍ଟ ନରଫକ୍ ଆସନରୁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନ୍‌, ଥେରେସା ମେ’ ଏବଂ ବୋରିସ ଜନସନଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଟ୍ରସ୍ କ୍ୟାବିନେଟ୍ ମନ୍ତ୍ରୀଭାବେ କାର୍ଯ୍ୟ କରିଛନ୍ତି ।

Comments are closed, but trackbacks and pingbacks are open.