ଝଲସିଲା ଗଂଜାମ ତାରାତାରିଣୀ ପୀଠ : ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

33

ଆଜି ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ । ପ୍ରତିଷ୍ଠା ଉତ୍ସବ ପାଇଁ ଚଳଚଞ୍ଚଳ ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠ। ୧୫ ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଷ୍ଠା ଉତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ । ଏଥିପାଇଁ ପୁଲିସ୍‍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ପ୍ରଶାସନ ମଧ୍ୟ ପକ୍ଷରୁ ବିବିଧ ପଦକ୍ଷେପ ହାତକୁ ନିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଶ୍ରଦ୍ଧାଳୁ ଉତ୍ସାହିତ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୁଧବାର ସକାଳ ୯.୫୦ମିନିଟ୍‍ ସମୟରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ତାରାତାରିଣୀ ମନ୍ଦିର ନିକଟରେ ଅସ୍ଥାୟୀ ହେଲିପେଡ଼୍‍ଠାରେ ଅବତରଣ କରିବେ। ଦିନ ୧୦ଟା ସମୟରେ ମନ୍ଦିର ଗସ୍ତ କରି ଉତ୍ସବରେ ଯୋଗଦେବ। ଏଠାରେ ପ୍ରସାଦ ସେବନ ହଲ୍‍, ଇଣ୍ଟରପ୍ରିଟେସନ୍‍ ହଲ୍‍, ମନ୍ଦିର ପ୍ରଶାସନିକ ଗୃହ ଆଦି ଉଦ୍‍ଘାଟନ କରିବେ। ୧୦.୩୦ରେ କାର୍ଯ୍ୟକ୍ରମ ସ୍ଥଳକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ଜନଗଣଙ୍କୁ ଉଦ୍‍ବୋଧନ ଦେବେ। ଏଠାରୁ କାର୍ଯ୍ୟକ୍ରମ ସାରି ଅସ୍ଥାୟୀ ହେଲିପେଡ଼୍‍ ନିକଟକୁ ଆସି ପୁଣି ପର୍ତ୍ତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗତକାଲି ଠାରୁ ତାରାତାରିଣୀ ପୀଠର ନବକଳେବର ପରେ ନୂଆ ମନ୍ଦିରର ପ୍ରତିଷ୍ଠା ଉତ୍ସବ କରାଯାଉଛି। ବ୍ରାହ୍ମଣ, ପଣ୍ଡିତଙ୍କ ମନ୍ତ୍ର ଶ୍ଳୋକ ପ୍ରତିଧ୍ବନିରେ ପ୍ରକମ୍ପିତ ମନ୍ଦିର ପରିବେଶ। ଭକ୍ତଙ୍କ ସମାଗମରେ ପୁରି ଉଠିଛି ମନ୍ଦିର ପ୍ରାଙ୍ଗଣ।

ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ 5-T ସଚିବ ଭି.କେ ପାଣ୍ଡିଆନ ତାରାତାରିଣୀ ପୀଠ ପରିଦର୍ଶନ କରିଥିଲେ । ମାଆଙ୍କୁ ଦର୍ଶନ କରିବା ସହ ସ୍ଥିତି ଅନୁଧ୍ଯାନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ପ୍ରତିଷ୍ଠା ଉତ୍ସବର ରୂପରେଖ ସଂପର୍କରେ ଅବଗତ କରିଥିଲେ।

Comments are closed, but trackbacks and pingbacks are open.