ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ହେଇପାରେ ଲଘୁଚାପ ବର୍ଷା: ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

16

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ଲାଗି ରହିଛି। ଆଗାମୀ ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗର ଅଭିମୁଖେ ଆସି ୧୮ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ସ୍ଥାନରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି I ଗତ ୨୪ଘଣ୍ଟା ମଧ୍ୟରେ ଛତ୍ରପୁରରେ ସର୍ବାଧିକ ୧୩୭.୬୬ମିମି ବର୍ଷା ରେକର୍ଡ କରା ଯାଇଥିବା ବେଳେ ଆସିକାରେ ୧୩୫.୨ମିମି, ପୁରୀରେ ୧୨୪ମିମି, ବାଣପୁରରେ ୧୦୭ମିମି ଓ ଗୋପାଳପୁରରେ ୧୦୦.୪ମିମି ବର୍ଷା ରେକର୍ଡ କରାଯାଇଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କ ସମେତ କୃଷି ଓ ମତ୍ସ୍ୟପଶୁସମ୍ପଦ ସଚିବ, ଆରଡିସି, ଆଇନଶୃଙ୍ଖଳା ଏଡିଜି, ଅଗ୍ନିଶମ ଆଇଜି, ଏନଡିଆରଏଫ କମାଣ୍ଡାଣ୍ଟଙ୍କୁ ଏହି ଲଘୁଚାପ ବର୍ଷା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତା କାଲିଠୁ ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୬ ଓ ୧୭ତାରିଖ ଦୁଇଦିନ ପାଇଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।ଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସହରାଂଚଳ ଓ ତଳିଆ ଅଂଚଳ ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା ସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା, ବର୍ଷା ପରିମାଣ ଓ ସ୍ଥିତି ସମ୍ପର୍କରେ ତୁରନ୍ତ ଏସଆରସିଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି। ଏହାସହିତ ବାସହୀନ ଓ ଜରୁରୀ ଥିବା ଲୋକଙ୍କ ଆଶ୍ରୟ ନିମନ୍ତେ ସ୍କୁଲ କୋଠାକୁ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ସେମାନେ ଶୀତରୁ ରକ୍ଷା ପାଇପାରିବେ । ଚାଷୀ ଭାଇମାନଙ୍କୁ ମଧ୍ୟ ନିଜର ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ମଣ୍ଡିରେ ଥିବା ଧାନକୁ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ଶନିବାର ଓ ରବିବାର ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି ।

Leave A Reply

Your email address will not be published.