ଆଜି ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା

66

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର । ନୂଆଁଖାଇରେ ଚାଷୀମାନଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ କାଳିଆ ସହାୟତା ଦେବେ ରାଜ୍ୟ ସରକାର । ଚାଷୀଙ୍କ ଆକାଉଣ୍ଟକୁ ଆସିବ କାଳିଆ ଟଙ୍କା । ନୂଆଁଖାଇ ଉପଲକ୍ଷେ ରାଜ୍ୟର ଚାଷୀଙ୍କୁ ଆର୍ଥିକ ସହାୟତା ପଠାଇବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ । ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ କାଳିଆ ଟଙ୍କା । ରାଜ୍ୟର ୪୪ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ମିଳିବ ଏହି ସହାୟତା ରାଶି ୯୦୦ କୋଟି ଟଙ୍କା । ଓଡ଼ିଶାର ଅନେକ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଏଥିରେ ଉପକୃତ ହେବେ।

୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘କାଳିଆ’ ଯୋଜନାରେ ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଛି l

ଏବେ ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ବଜେଟ୍‌ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । ଏହି ଅର୍ଥରାଶି କେଉଁଠି ଅପବ୍ୟବହାର ନହେଉ ସେଥିପାଇଁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି ।

‘କାଳିଆ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରିବା l ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା । ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧି ଦ୍ଵାରା କୃଷିର ଉତ୍ପାଦକତା ବୃଦ୍ଧି ପାଇପାରିବ l ଏହାଛଡା କୃଷକଙ୍କର ଏବଂ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧିରେ ସହାୟକ ହେବ । ଏସବୁ ଦ୍ୱାରା ଚାଷୀ ନିରାଶ ହେବ ନାହିଁ କିମ୍ବା ରାଜ୍ୟରେ ଚାଷ ସମସ୍ୟା ଉପୁଜିବ ନାହିଁ l

Comments are closed, but trackbacks and pingbacks are open.