ଜଣାନ୍ତୁ ଆପଣବି ଜୁନରୁ ପାଇବେ କି ମାଗଣା ବିଜୁଳି ?

18

ଭୁବନେଶ୍ୱର: ରାଜନୀତିରେ ବିଜୁଳି। ରାଜ୍ୟରେ ତିନି ପ୍ରମୁଖ ଦଳ ମାଗଣା ବିଜୁଳି ନେଇ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛନ୍ତି। ତେବେ ଶାସକ ଦଳ ପ୍ରଥମ ଥର ପାଇଁ ଶହେ ୟୁନିଟ୍ ମାଗଣା ବିଜୁଳି ଘୋଷଣା କରିବା ପରେ ଏହାକୁ ନେଇ ବିତର୍କ ତେଜିଛି। ବିଭିନ୍ନ ସଭାରେ ବିଜେଡି ନେତା ଭିକେ ପାଣ୍ଡିଆନ୍ କହିଛନ୍ତି, ଜୁନ୍ ମାସରୁ ଆଉ ବିଜୁଳି ଦେବାକୁ ପଡ଼ିବ ନାହିଁ। ଆଜିର ଦିନରେ ବର୍ଦ୍ଦିତ ବିଜୁଳି ବିଲ୍ ଗୋଟିଏ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବେଳେ ୧୦୦ ୟୁନିଟ୍ ବିଜୁଳି ମାଗଣା ଘୋଷଣା ଗୋଟିଏ ବଡ ଭୋଟ ବ୍ୟାଙ୍କକୁ ଆକୃଷ୍ଟ କରିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ପ୍ରକୃତରେ ହିତାଧିକାରୀ କେତେ ଲାଭ ପାଇବେ ତାକୁ ନେଇ ଆରମ୍ଭ ହୋଇଛି ଅନୁଶୀଳନ।

ବିଜୁ ଜନତା ଦଳ ଇସ୍ତାହାରରେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ତେବେ ଏହି ପ୍ରତିଶ୍ରୁତି ବାସ୍ତବରେ କେତେ ଦୂର କାର୍ଯ୍ୟକାରୀ ହେବ ଏବଂ ଏଥିରୁ କେତେ ଲୋକ ଉପକୃତ ହେବେ ତାକୁ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଦଳ ଓ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘ ଏହାକୁ ନିନ୍ଦା କରିଛନ୍ତି।

ବିଜେଡିର ଘୋଷଣା ଅନୁଯାୟୀ, ମାସକୁ ୧୦୦ ୟୁନିଟ୍ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାମାନେ ସମ୍ପୂର୍ଣ୍ଣ ଛାଡ଼ ପାଇବେ। ଯେଉଁମାନେ ମାସିକ ୧୦୦ରୁ ୧୫୦ ୟୁନିଟ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ୫୦ ୟୁନିଟ୍ ଛାଡ଼ ମିଳିବ ଏବଂ ମାସକୁ ୧୫୦ୟୁନିଟ୍ ବ୍ୟବହାର କରୁଥିବା ଲୋକଙ୍କୁ କୌଣସି ଛାଡ ମିଳିବ ନାହିଁ। ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦାବି କରିଛନ୍ତି ଯେ ମାନଦଣ୍ଡ ପୂରଣ କରୁଥିବା ୯୦ ପ୍ରତିଶତ ଚାଷୀଙ୍କ ପାଇଁ ଏହା ବରଦାନ ହେବ।଼

ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇଦେବ ବୋଲି କହିଥିବା ବେଳେ ବିଜେପି ପିଏମ୍‌ ସୂର୍ଯ୍ୟ ଘର ଯୋଜନାରେ ସୌର ଶକ୍ତି ଜରିଆରେ ମାଗଣା ବିଜୁଳି ଯୋଗାଇ ଦେବ ବୋଲି କହିଛି।

ସରକାରୀ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ୫୫ ଲକ୍ଷ, ଯେଉଁମାନେ ୟୁନିଟ୍ ପିଛା ୨.୮୨ ଟଙ୍କା ଦେଉଛନ୍ତି। ସେହିପରି ଶକ୍ତି ବିଶେଷଜ୍ଞ ଆନନ୍ଦ ମହାପାତ୍ର କହିଛନ୍ତି, ପ୍ରାୟ ୬୫ ଲକ୍ଷ ଉପଭୋକ୍ତା ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଛନ୍ତି।

ବିଜେପି ନେତା ଅନୀଲ ବିଶ୍ୱାଳ କହିଛନ୍ତି, ବିଜେଡିର ପ୍ରତିଶ୍ରୁତିକୁ ନିର୍ବାଚନ ପୂର୍ବରୁ ଏକ ରାଜନୈତିକ ଚାଲ। ଓଡ଼ିଶାରେ ମାସକୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି କେତେ ପରିବାର ବ୍ୟବହାର କରୁଛନ୍ତି ? ହୁଏତ ୧୦ରୁ ୧୫ ଲକ୍ଷ ପରିବାର ଏହି ବର୍ଗରେ ଆସିପାରନ୍ତି। ମାତ୍ର ୧୦ ପ୍ରତିଶତ ଲୋକ ଏହି ସୁବିଧା ପାଇପାରିବେ, କିନ୍ତୁ ୯୦ ପ୍ରତିଶତ ଉପଭୋକ୍ତା ଉପକୃତ ହେବେ ବୋଲି ବିଜେଡି ଦାବି କରିବା ସମ୍ପୂର୍ଣ୍ଣ ମିଥ୍ୟା।

କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି, ବିଜେଡି କଂଗ୍ରେସଠାରୁ ପ୍ରେରଣା ପାଇଛି। ୧୦୦ ୟୁନିଟ୍ ବିଜୁଳି ଥିବାରୁ ଉପଭୋକ୍ତା କେବଳ ଗୋଟିଏ ବଲ୍ବ ଓ ଗୋଟିଏ ଫ୍ୟାନ୍ ବ୍ୟବହାର କରିପାରିବେ।

ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଗତକାଲି ଏହି ପ୍ରସଙ୍ଗରେ କହିଥିଲେ ଯେ ରାଜ୍ୟ ସରକାର ତାମିଲନାଡୁର ଏକ ଘରୋଇ କମ୍ପାନୀକୁ ୟୁନିଟ୍ ପିଛା ୨ ଟଙ୍କା ୫୨ ପଇସାରେ ବିଜୁଳି ବିକ୍ରି କରୁଛନ୍ତି। କେଉଁ ସ୍ବାର୍ଥରେ ବାହାର ରାଜ୍ୟକୁ କମ୍ ଦାମରେ ବିଜୁଳି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ଯ, ଦେଶରେ ପ୍ରଥମେ ଦିଲ୍ଲୀ ପରେ ପଞ୍ଜାବ, କର୍ଣ୍ଣାଟକ ଓ ତେଲେଙ୍ଗାନା ସରକାର ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳିର ବ୍ୟବସ୍ଥା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଘରେ ଟିଭି , ଫ୍ରିଜ୍, ୩ରୁ ୫ଟି ବଲ ଓ ଫ୍ୟାନ୍ ଥିଲେ ସର୍ବନିମ୍ନ ମାସିକ ୧୦୦ ୟୁନିଟରୁ ଅଧିକ ମିଟର ଉଠିବ। ଅର୍ଥାତ୍ ଏବେ ଏହି ସବୁ ଘରେ ଘରେ ରହିଥିବା ବେଳେ ମାଗଣା ବିଜୁଳି ସେବାର ହିତାଧିକାରୀ କେତେ ହେବେ ଚିନ୍ତା କରିବା ଆବଶ୍ୟକ?

Comments are closed, but trackbacks and pingbacks are open.