କଂଗ୍ରେସ ଛାଡିଲେ ସତ୍ୟ ପ୍ରକାଶ

31

ଓଡ଼ିଶା କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ତଥା ପିସିସିର ପୂର୍ବତନ ମିଡ଼ିଆ ଆବାହକ ସତ୍ୟ ପ୍ରକାଶ ନାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇ-ମେଲ୍ ଯୋଗେ ପଠାଇ ଦେଇଛନ୍ତି । ତେବେ ପୂର୍ବରୁ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସତ୍ୟ ଆଜି ଶେଷରେ କଂଗ୍ରେସ ଛାଡିଛନ୍ତି । ନିକଟରେ ଶେଷ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟରେ ସତ୍ୟଙ୍କ ନାମ ପିସିସି ସଦସ୍ୟ ତାଲିକାରୁ ବାଦ୍ ଦିଆଯାଇଥିଲା । ଫଳରେ ଅଧ୍ୟକ୍ଷ ନିର୍ବାଚନରେ ସେ ଭୋଟ ଦେଇ ପାରିନଥିଲେ । ଏହାର ପ୍ରତିବାଦରେ ସେତେବେଳେ ଦଳର ମିଡ଼ିଆ ଆବାହକ ପଦରୁ ଇସ୍ତଫା ଦେବାସହ ଏନେଇ ପିସିସି ସଭାପତି ଓ ଏଆଇସିସି ଅବଜରଭରଙ୍କୁ ଜଣାଇଥିଲେ ।

ହେଲେ ଏପର୍ଯ୍ୟନ୍ତ ସେ ବିଷୟରେ କୌଣସି ଉତ୍ତର ନ ପାଇ ଆଜି କ୍ଷୋଭର ସହ ସତ୍ୟ କଂଗ୍ରେସ ଛାଡିଛନ୍ତି । ନିଜ ଇସ୍ତଫା ପତ୍ରରେ ମଧ୍ୟ ଏକଥା ସେ ଉଲ୍ଲେଖ କରିଛନ୍ତି । ଶରତଙ୍କୁ ଚିଠି ଲେଖି ସତ୍ୟ କହିଛନ୍ତି ଯେ, ତାଙ୍କୁ ପିସିସି ସଦସ୍ୟ ତାଲିକାରୁ ବାଦ୍ ଦେବା ସଂପୂର୍ଣ୍ଣ ଅସାମ୍ବିଧାନିକ ଥିଲା । ଦଳର ପରିସ୍ଥିତି ଏବେ ଏଭଳି ହେଲାଣି ଯେ, ରାଜ୍ୟର ଆମ ସହ କିଏ ଅଛନ୍ତି? ବୋଲି ଦଳର କର୍ମୀ ପ୍ରଶ୍ନ କଲେଣି । ନା ଆମ ସହ ଚାଷୀ ଅଛନ୍ତି, ନା ଯୁବକ ଅଛନ୍ତି, ନା ମହିଳା ଅଛନ୍ତି, ନା ମଧ୍ୟବିତ୍ତ ଅଛନ୍ତି ତେବେ ଆମେ କାହାକୁ ନେଇ ଆଗକୁ ବଢିବା ବୋଲି କର୍ମୀ ପ୍ରଶ୍ନ କରୁଛନ୍ତି ।

ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ପିସିସି ସଭାପତିଙ୍କ ୨୦୨୪ରେ ‘୯ ରୁ ୯୦’ ଆହ୍ୱାନ କେବଳ ଏକ ସ୍ଲୋଗାନ ହୋଇ ରହିଯିବ ବୋଲି ସତ୍ୟ ନିଜ ଇସ୍ତଫା ପତ୍ରରେ କହିଛନ୍ତି । ଧୀରେ ଧୀରେ ନିମ୍ନଗାମୀ ହେଉଥିବା ବେଳେ ପିସିସି ସଭାପତି ଏନେଇ କୌଣସି ପଦକ୍ଷେପ ନେବାଭଳି ମନେ ହେଉନାହିଁ । ଏଭଳି ନିଜର କ୍ଷୋଭ ଜାହିର କରି ଦଳରୁ ଇସ୍ତଫା ଦେଇଛନ୍ତି ସତ୍ୟ ପ୍ରକାଶ ନାୟକ । ଅଣଦେଖା କରାଯାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଶେଷରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Comments are closed, but trackbacks and pingbacks are open.