ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ:ମୁଖ୍ୟମନ୍ତ୍ରୀ

38

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚିଲା ଲକ୍ଷ୍ମୀ ବସ୍ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଆଉ ୫ଟି ଜିଲ୍ଲା ତଥା ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗ୍ରାମାଞ୍ଚଳରେ ସାମାଜିକ, ଅର୍ଥନୈତିକ  ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ ଏହି ଲକ୍ଷ୍ମୀ ବସ୍ । ଗାଁ ଲୋକମାନେ ଲକ୍ଷ୍ମୀ ବସ୍‌ ଜରିଆରେ ସୁବିଧାରେ ଏବଂ  କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ଲକ୍ଷ୍ମୀ ବସ୍‌ ଗଡିଛି । ଏହା ଦ୍ୱାରା ଉପକୃତ ହେବେ ୭୧ ଲକ୍ଷରୁ ଅଧିକ ଲୋକ । ବାଲେଶ୍ୱର ଜିଲ୍ଲାର ୩୧୫ଟି ପଞ୍ଚାୟତରେ ୪୮ଟି, ନୂଆପଡାର ୧୨୩ଟି ପଞ୍ଚାୟତରେ  ୨୫ଟି, ବୌଦ୍ଧର ୫୫ଟି ପଞ୍ଚାୟତରେ  ୧୦ଟି, ଗଞ୍ଜାମର ୪୩୩ଟି ପଞ୍ଚାୟତରେ ୧୩୦ଟି ଏବଂ ଜଗତସିଂହପୁରର ୧୩୧ଟି ପଞ୍ଚାୟତରେ  ୪୨ଟି ବସ୍‌ ଚାଲିଛି । ଏହାସହ ଶେଷରେ ଆଜି ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍‌ ଚଳାଚଳ ଆରମ୍ଭ କରିଛି । ସମୁଦାୟ ୩୦ଟି ଜିଲ୍ଲାରେ ୧୩୫୪ଟି ବସ୍‌ ଚାଲିବା ଆରମ୍ଭ କରିଛି ଏବଂ ଏହା ଦ୍ୱାରା ୬୦୩୧ଟି ପଞ୍ଚାୟତର ୩.୬୪ କୋଟି ଲୋକ ଉପକୃତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟର ସବୁ ପଞ୍ଚାୟତରେ ସମୁଦାୟ ୧୭୪୫ଟି ବସ୍‌ ଚାଲିବ । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି । ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ।ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ:ମୁଖ୍ୟମନ୍ତ୍ରୀ

Comments are closed, but trackbacks and pingbacks are open.