ସ୍ଥଗିତ ହେଲା ଆଇନଜୀବୀଙ୍କ ଆନ୍ଦୋଳନ,ଭଙ୍ଗାରୁଜା ଘଟଣାରେ ୧୪ ଗିରଫ ,୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ

26

ବରଗଡ଼ : ବ୍ୟାପକ ଆନ୍ଦୋଳନ ପରେ ସ୍ଥଗିତ ହେଲା ପଶ୍ଚିମ ଓଡ଼ିଶା ଆଇନଜୀବୀଙ୍କ ଆନ୍ଦୋଳନ I ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍। ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟ ଓ ସମ୍ବିଧାନ ଉପରେ ଭରସା ଦେଖାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ତେବେ ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ରହିଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଭରସା ରହିଥିବା କମିଟି କହିଛି।

ସେପଟେ ଆନ୍ଦୋଳନ ସମୟରେ ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୪ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍‌। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହି ଘଟଣାରେ ଦୃଢ ପଦକ୍ଷେପ ସ୍ୱରୂପ ୨୯ ଜଣ ଓକିଲଙ୍କ ୧୮ ମାସ ପାଇଁ ଲାଇସେନ୍ସ ରଦ୍ଦ କରିଛି ଅଲ ଇଣ୍ଡିଆ ବାର କାଉନ୍ସିଲ I ଏହାଛଡା କୋର୍ଟ ପରିସରରେ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗିରଫଦାରୀକୁ ଆହୁରି ବଢ଼ାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର।

ସୂଚନାନୁସାରେ ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତକାଲି ଏହା ତୀବ୍ର ରୂପ ଧାରଣ କରିଥିଲା। ବହୁ ସଂଖ୍ୟାରେ ଓକିଲ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଅଭାବନୀୟ ଘଟଣାକୁ ନେଇ ସମ୍ବଲପୁର ଟାଉନ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି। ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ । ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଆନ୍ଦୋଳନ ବେଳେ ସାମିଲ ହୋଇ ହିଂସା ଘଟାଇବା, ବିଚାରପତିମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ, ସ୍ଲୋଗାନ ଦେବା, ଜଜ୍‌ମାନଙ୍କ କୁଶପୁତ୍ତଳିକା ଦାହ କରିବା, ବାର କାଉନସିଲ୍‌ ଅଫ ଇଣ୍ଡିଆ ଓ ରାଜ୍ୟ ବାର କାଉନସିଲ୍ ସଦସ୍ୟଙ୍କ କୁଶପୁତ୍ତଳିକା ପୋଡ଼ିବା, କୋର୍ଟ ରୁମ ଭିତରକୁ ପଶିଭଙ୍ଗା ରୁଜା କରିବା, ପୁଲିସ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ଘଟଣାରେ ବାର କାଉନସିଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Comments are closed, but trackbacks and pingbacks are open.