ଅଭିଯୁକ୍ତଙ୍କୁ ଡରାଇବାକୁ ଆଇନ୍‌କୁ ଅସ୍ତ୍ର କରାନଯାଉ: ସୁପ୍ରିମକୋର୍ଟ

25

ନୂଆଦିଲ୍ଲୀ: ଅଭିଯୁକ୍ତଙ୍କୁ ନିର୍ଯାତନା ଦେବା ପାଇଁ କୌଣସି ପରିସ୍ଥିତିରେ ଆଇନକୁ ଅସ୍ତ୍ରଭାବେ ବ୍ୟବହାର ନକରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଚେନ୍ନାଇର ଏକ ଅଦାଲତରେ ବିଚାରାଧୀନ ଥିବା ଏକ ଫୌଜଦାରୀ ମାମଲାକୁ ଖାରଜ କରିବା ଅବସରରେ ସୁପ୍ରିମକୋର୍ଟ ଉପରୋକ୍ତ ବୟାନ ଦେଇଛନ୍ତି । ସୂଚନାଯୋଗ୍ୟ ତାମିଲନାଡୁର ଦୁଇଜଣ ଅଭିଯୁକ୍ତ ସେମାନଙ୍କ ବିରୋଧରେ ଆଗତ ଏକ ଫୌଜଦାରୀ ମାମଲା ଖାରଜ କରିବାକୁ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । ତେବେ ୨୦୨୧ରେ ମାଡ୍ରାସ ହାଇକୋର୍ଟ ପିଟସନକୁ ଖାରଜ କରିବାପରେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ କ୍ରିଷ୍ଣ ମୁରାରି ଓ ଜଷ୍ଟିସ ଏସ.ଆର.ଭଟ୍ଟ୍‌କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଗତ ଶୁକ୍ରବାର ଏହାର ଶୁଣାଣି କରି ଆଇନ୍‌କୁ ଅଭିଯୁକ୍ତଙ୍କ ବିରୋଧରେ ଅପବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି । ନିର୍ଦ୍ଦୋଷଙ୍କୁ ସୁରକ୍ଷା ଦେବାକୁ ଆଇନ ପ୍ରଣୟନ କରାଯାଇଛି । ତେବେ ଏହାକୁ ଖଣ୍ଡାଭାବେ ବ୍ୟବହାର କରି ଅଭିଯୁକ୍ତଙ୍କୁ ଭୟଭୀତ କରାଇବା ଅନୁଚିତ ବୋଲି ଖଣ୍ଡପୀଠ କହିଛନ୍ତି । ନିର୍ଦ୍ଦିଷ୍ଟ ମାମଲାରେ ଆଇନଗତ ବ୍ୟତିକ୍ରମ ଘଟିଥିବା ଖଣ୍ଡପୀଠ ପରିଲକ୍ଷିତ କରିଛନ୍ତି । ପ୍ରାରମ୍ଭିକ ଅଭିଯୋଗ ଏବଂ ଏତଲା ଦାଏର ମଧ୍ୟରେ ୪ ବର୍ଷର ବ୍ୟବଧାନ ରହିଛି । ଏପରିକି ମାମଲା ଦାଏର ହେବାପରେ ପୁଲିସକୁ ପ୍ରମାଣ ଯୋଗାଡ କରିବାରେ ଆଉ କିଛିବର୍ଷ ସମୟ ଲାଗିଛି । ସାଧାରଣତଃ ଅହେତୁକ ବିଳମ୍ବ ମାମଲା ପ୍ରତ୍ୟାହାର ପାଇଁ ଉପଯୁକ୍ତ କାରଣ ହୋଇନଥିଲେ ସୁଦ୍ଧା କାରଣ ଦର୍ଶାଯାଇନଥିବା ଏଭଳି ଅହେତୁକ ବିଳମ୍ବ ମାମଲା ପ୍ରତ୍ୟାହାର ପାଇଁ ପ୍ରମାଣଭାବେ ଗ୍ରହଣୀୟ ହୋଇପାରିବ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.