“ବାପୁ ଟାୱାର” ପରିଦର୍ଶନ କଲେ ଆଇନ ମନ୍ତ୍ରୀ

315

ଭୁବନେଶ୍ବର: ପୁରୀ ଠାରେ ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରାହଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ପରିପ୍ରେକ୍ଷୀରେ ଗତକାଲି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓଡ଼ିଶା ପ୍ରଦେଶର ସରକାରୀ ପ୍ରତିନିଧିମଣ୍ଡଳୀଙ୍କ ସହ ବିହାର ପ୍ରଦେଶର ପାଟଣା ସ୍ଥିତ “ବାପୁ ଟାୱାର” ପରିଦର୍ଶନ କରିଥିଲେ। ବାପୁ ଟାୱାର ମହାତ୍ମା ଗାନ୍ଧୀଙ୍କ ଜୀବନ, ଦର୍ଶନ, ଓ ଅଦ୍ୱିତୀୟ ବିଚାରଧାରାର ଏକ ସମ୍ମିଳିତ ସ୍ମାରକୀ ଓ ଶିକ୍ଷାପ୍ରଦ ସ୍ଥଳ।ଏଠି ବାପୁଜୀଙ୍କ ଜୀବନ ଘଟଣାବଳୀ, ଦାଣ୍ଡି ଯାତ୍ରା ଓ ଲବଣ ସତ୍ୟାଗ୍ରହ ସମୟର ବିସ୍ତୃତ ବିବରଣୀ ଓ ଦକ୍ଷିଣ ଆଫ୍ରିକା ରହଣି ସମୟରେ ଭାରତୀୟ ମାନଙ୍କ ଦୁର୍ଦ୍ଦଶା ସମୟରେ ତାଙ୍କର କିଭଳି ଚ଼ିନ୍ତାଧାର ପରିବର୍ତ୍ତନ ଓ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ଅବଦାନ ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସ୍ମୃତି ଦର୍ଶାଯାଏ। ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ବାପୁ ଟାୱାରର ଉଦ୍ଦେଶ୍ୟ ଓ ପ୍ରତିଷ୍ଠା ପ୍ରତି ଶ୍ରଦ୍ଧା ଜଣାଇ ଏହି ପ୍ରକାର ଐତିହାସିକ ସ୍ମାରକୀ ଗୁଡ଼ିକୁ ଯୁବପିଢିଙ୍କ ପାଇଁ ଶିକ୍ଷା ଏବଂ ପ୍ରେରଣାର ସ୍ରୋତ ଭାବେ ବିକାଶ କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି‌ ବୋଲି ମତପ୍ରକାଶ କରିଥିଲେ।ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲୱନ୍ତ ସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଏବଂ ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀସମୀର ହୋତା, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ବୃନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

Comments are closed, but trackbacks and pingbacks are open.