ପିଏମ୍‌ ଆବାସ ସର୍ଭେ ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ

8

ଭୁବନେଶ୍ଵର : ନୂଆ ଆବାସ ସର୍ଭେ ଆରମ୍ଭ। ପିଏମ୍ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ ଆରମ୍ଭ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପୁରୀ ଜିଲ୍ଲା ଯସୁଆପୁର ଗ୍ରାମ ପଞ୍ଚାୟତର ସାତଶଙ୍ଖ ନିକଟରୁ ଏହାର ଶୁଭାରମ୍ଭ କରିଛନ୍ତି। ଏହା ସହ ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଛନ୍ତି। କିପରି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଦ୍ଵାରା କରିହେବ ତାହା ଜଣାଇଛନ୍ତି। ଏହାସହ ଯୋଗ୍ୟତାର ମାନ କୋହଳ କରାଯାଇଛି ବୋଲି କହିଛନ୍ତି। ଏହି ଅବସରରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ଅନ୍ୟ ବିଧାୟକମାନେ ଯୋଗ ଦେଇଛନ୍ତି। ସୂଚନାନୁଯାୟୀ, ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରାଯାଇଛି। ସର୍ଭେ ଦୁଇମାସ ପର୍ୟ୍ୟନ୍ତ ଚାଲିବ। ଆବସ ଆବେଦନ ନିୟମରେ କିଛିଟା କୋହଳ କରାଯାଇଛି। ଫ୍ରିଜ୍ ଓ ଦୁଇ ଚକିଆ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆବେଦନ କରିପାରିବେ। ଏହା ସହ ମାସିକ ୧୦ ହଜାର ନୁହେଁ ୧୫ ହଜାର ଆୟ ଥିଲେ ବି ଆବାସ ପାଇଁ ଯୋଗ୍ୟ ହୋଇପାରିବେ। ଆବାସ ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନରେ ହିତାଧିକାରୀ ଆବେଦନ କରିପାରିବେ। କେହି ବି ଆବାସ ଯୋଜନାରୁ ବାଦ୍ ପଡ଼ିବେ ନାହିଁ। ବାପାଠୁ ଭିନ୍ନ ହୋଇଥିବା ପୁଅ ଆବେଦନ କରିପାରିବ। ସ୍ଵାମୀ ଠାରୁ ଅଲଗା ହୋଇଥିବା ମହିଳା ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ପୁଣି ଥରେ ନୂଆ ଆବେଦନ କରିବାକୁ ପଡ଼ିବ। ତେବେ ୨ ମାସ ମଧ୍ୟରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। 

Comments are closed, but trackbacks and pingbacks are open.