ଦେବଗଡ଼ ଧୋବଲିପଥର ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଏବଂ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶୁଭାରମ୍ଭ

180

ଧୋବଲିପଥର, ନଭେମ୍ବର ୧୯ – କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ପାରମ୍ପରିକ ଚାଷ ସହ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି । ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ ବୋଲି ମଙ୍ଗଳବାର ଦେବଗଡ଼ ଧୋବଲିପଥର ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଏବଂ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ହେଉଛି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ପୁଣ୍ୟତିଥି । ଭାଷାଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସେ ହେଉଛନ୍ତି ଅନ୍ୟତମ କର୍ଣ୍ଣଧାର । ଆଜି ସେଭଳି ଦିନରେ ଦେବଗଡ଼ରେ ଲୋକଙ୍କ ଗମନାଗମନକୁ ଅଧିକ ସୁଗମ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାୟ ୪୩.୫ କୋଟି ଟଙ୍କା ମୂଲ୍ୟର ସଡ଼କ ଓ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ହେବା ଖୁସିର ବିଷୟ । ଦେବଗଡ ହେଉଛି ଏକ କୃଷି ପ୍ରାଧାନ୍ୟ ଜିଲ୍ଲା । ଆଜି ପ୍ରାୟ ୩୨ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ଦୈନିକ ୨,୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏହା ଦ୍ୱାରା ଦେବଗଡ଼ରେ ପ୍ରତିଦିନ ୧୦,୦୦୦ ଲିଟର ଦୁଗ୍ଧ ଉତ୍ପାଦନ ସଂଗୃହିତ ହୋଇପାରିବ । ଏହି ସବୁ ଦୁଗ୍ଧ ସମ୍ବଲପୁର ଗୋଶାଳାକୁ ଯିବ ।

ରାଜ୍ୟ ସରକାର ଆଗାମୀ ଦିନରେ ଗୋଶାଳା ଓମଫେଡ ପ୍ଲାଣ୍ଟର ସମ୍ପ୍ରସାରଣ ସହ ସେହି ପ୍ଲାଣ୍ଟରୁ ପାଉଡର କ୍ଷୀର, ଦହି, ଚକୋଲେଟ୍, ପନିର ସମେତ କ୍ଷୀରରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାର ଯୋଜନା ରଖିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ସବୁ ପଞ୍ଚାୟତରେ ଦୁଗ୍ଧ ସମବାୟ ସମିତି ଗଠନ ହେବ । ଦୁଗ୍ଧ ଚାଷୀମାନଙ୍କ ପଇସା ସିଧାସଳଖ ବ୍ୟାଙ୍କ୍ ଖାତାକୁ ଡିବିଟି ମାଧ୍ୟମରେ ଆସିବ । ଏହା ଦ୍ୱାରା ଦେବଗଡ ସମେତ ସମ୍ବଲପୁର ଓ ଆଖପାଖ ଅଞ୍ଚଳର ଚାଷୀଙ୍କ ଆୟ ଦୁଇଗୁଣିତ ହେବ । ଆଜିର ପଦକ୍ଷେପ ଦେବଗଡ଼ ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଦୁଗ୍ଧ ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ ବୋଲି ସେ କହିଛନ୍ତି ।

ଯେବେ ଯେବେ ଦିଲ୍ଲୀରେ ବିଜେପି ସରକାର ହୋଇଛି ସେହି ସମୟର ଦେବଗଡ଼ ଜିଲ୍ଲାର ବିକାଶ ହୋଇଛି । ଦେବଗଡ଼ରେ ଅଣ୍ଡର୍ ପାସ୍ ନିର୍ମାଣ କାର୍ଯ୍ୟ ନେଇ ସ୍ଥାନୀୟ ଲୋକଙ୍କର ଯେଉଁ ଦାବି ରହିଛି, ସେ ବିଷୟରେ ଏନଏଚଏଆଇ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯିବ । ଦେବଗଡ ଜିଲ୍ଲାକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ । ଏଠାରେ ଆମ୍ବ, ପଣସ, ତରୁଭୁଜ, ପୋଟଳ, ବାଇଗଣ, ବିଲାତି ବାଇଗଣ, ଫୁଲଚାଷ, ଲେମ୍ବୁର ଉତ୍ପାଦନ ବୃଦ୍ଧି ପାଇବ । ପର୍ଯ୍ୟଟନ, କ୍ରୀଡ଼ା କ୍ଷେତ୍ର ସହ ବୌଦ୍ଧିକ କ୍ଷମତା ସମ୍ପନ୍ନ ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ।

ଶ୍ରୀ ପ୍ରଧାନ ଅଭିଭାଷଣରେ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଯଥା ସୁଭଦ୍ରା, ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ସହ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ହେବା ଉପରେ ଆଲୋକପାତ କରିଥିଲେ ।

ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମରେ ଦେବଗଡ଼ରେ ୪.୫୧ କୋଟି ଟଙ୍କା ବ୍ୟୟରେ ତାବଡାରୁ ବିଜବେରୀଣି ରାସ୍ତା ଓ ପ୍ରାୟ ୩ କୋଟି ୩୮  ଲକ୍ଷ ଟଙ୍କା ବ୍ୟୟରେ ଜାମୁପଦରୁ ସିରିଗିଡ଼ା ରାସ୍ତାର ଶୁଭାରମ୍ଭ ହୋଇଛି । ଏହାବ୍ୟତୀତ ୨ କୋଟି ବ୍ୟୟରେ ଡିପିଆରସି ଭବନ,  ପ୍ରାୟ ୨୦ କୋଟି ବ୍ୟୟରେ ଟିକିରାପୋଷୀ ନଦୀ ଉପରେ ବ୍ରୀଜ ନିର୍ମାଣ, ପ୍ରାୟ ୧୦ କୋଟି ବ୍ୟୟରେ ପିଏସ ରୋଡରୁ ବାଲିଡିହି ରାସ୍ତା କାମ, ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ପିଡବ୍ଲୁଡିରୁ ସିଆରିହୁଲି ରାସ୍ତା କାମ ଓ  ପ୍ରାୟ ୭ କୋଟି ବ୍ୟୟରେ ରୁଗୁଡାକୁଦରରୁ କଲାଡୁ ରାସ୍ତା କାମର ଶିଳାନ୍ୟାସ ହୋଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ଗୋସେବା ସହ ମା’ ପାଇଁ ଗଛଟିଏ’ ଅଭିଯାନରେ ବୃକ୍ଷରୋପଣ କରିଥିଲେ । ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ,  ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଓ ଦେବଗଡ଼ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.