ଲାଲକିଲ୍ଲା ବିସ୍ଫୋରଣ ମାମଲା: ୭,୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା NIA

51

ନୂଆଦିଲ୍ଲୀ: ରାଜଧାନୀର ଲାଲକିଲ୍ଲା ଅଞ୍ଚଳରେ ଘଟିଥିବା ଭୟଙ୍କର କାର୍ ବୋମା ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି। ଶନିବାର NIA ପକ୍ଷରୁ ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ପଟିଆଲା ହାଉସ୍ କୋର୍ଟର ସ୍ୱତନ୍ତ୍ର ଅଦାଲତରେ ୭,୫୦୦ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରାଯାଇଛି। ୨୦୨୫ ନଭେମ୍ବର ୧୦ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏଥିରେ ବ୍ୟାପକ ସମ୍ପତ୍ତି ନଷ୍ଟ ହେବା ସହ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା।  NIA ଅନୁଯାୟୀ, ସମସ୍ତ ଅଭିଯୁକ୍ତ ଆତଙ୍କବାଦୀ ସଂଗଠନ ‘ଅନସାର ଘଜୱାତ-ଉଲ୍-ହିନ୍ଦ୍’ ସହିତ ଜଡ଼ିତ। ଏହି ସଂଗଠନକୁ ଭାରତୀୟ ଉପମହାଦେଶରେ ଅଲ୍-କାଏଦାର ଏକ ସହଯୋଗୀ ବୋଲି ବିବେଚନା କରାଯାଏ। ଅଭିଯୁକ୍ତମାନେ ସାଧାରଣ ରାସାୟନିକ ପଦାର୍ଥ ବ୍ୟବହାର କରି ବିସ୍ଫୋରକ ‘ଟିଏଟିପି’ (TATP) ପ୍ରସ୍ତୁତ କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ମୌଳବାଦୀ ଚିନ୍ତାଧାରାର ପ୍ରଚାର କରିବା ସହ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ଦେଶର ଅନ୍ୟାନ୍ୟ ସ୍ଥାନକୁ ନେଟୱାର୍କ ବିସ୍ତାର କରିବାକୁ ଯୋଜନା ରଖିଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ NIA ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Comments are closed, but trackbacks and pingbacks are open.