ଭେଣ୍ଡି ଚାଷ

21

ଭେଣ୍ଡି ଚାଷ ପ୍ରଥମେ ଆଫ୍ରିକାରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ । ଭେଣ୍ଡିକୁ ତରକାରୀ କରି ଖିଆଯାଏ । ଏଥିରୁ ଖଟା ପ୍ରସ୍ତୁତ କରାଯାଏ । ଏହାର କାଣ୍ଡରୁ ତନ୍ତୁ ବାହାର କରାଯାଇଥାଏ । ଭେଣ୍ଡର ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ଶତକଡ଼ା ୮୯.୬ ଭାଗ ଜଳୀୟ ଅଂଶ ରହିଥାଏ । ତା ସହିତ ୧.୯ ଭାଗ ପୁଷ୍ଟିସାର, ୦.୭ ଭାଗ ଖଣିଜ ଲବଣ ଏବଂ ୬.୪ ଭାଗ ଶ୍ୱେତସାର ରହିଥାଏ । ଏଥିରେ ଯଥେଷ୍ଟ ପରିମାର ଜୀବନିକା ମଧ୍ୟ ରହିଥିବାର ଜଣାଯାଏ ।
ଉନ୍ନତ କିସମ ହିସାବରେ ପୁଷା ସାୱାନୀ, ପୁଷା ମଖମଲି, ଅର୍କ ଅଭୟ କିସମ ଚାଷ କରାଯାଇପାରିବ । ପରବାଣିକ୍ରାନ୍ତି ଓ ଉତ୍କଳ ଗୌରବ (ବିଓ-୨) କିସମ ଚାଷ କଲେ ସାହେବୀ ରୋଗ ହୁଏ ନାହିଁ । ସଙ୍କର ଜାତୀୟ କିସମ ହିସାବରେ ବର୍ଷା, ବିଜ, ତାରା, ରୋମାନୀ, ନଂ. ୧୦, ଗୀତାଞ୍ଜଳି ଆଦି ଚାଷ କରାଯାଇପାରିବ । ପ୍ରାୟ ସବୁ ପ୍ରକାରର ମାଟିରେ ଭେଣ୍ଡି ଚାଷ କରାଯାଇପାରିବ । ତେବେ ହାଲୁକା ଦୋରସା ମାଟିରେ ଭେଣ୍ଡି ଭଲହୁଏ । ଜମି ନିଗିଡ଼ା ହୋଇଥିବା ଆବଶ୍ୟକ । ମାଟିର ଅମ୍ଳତା ୬.୦ରୁ ୬.୮ ମଧ୍ୟରେ ରହିବା ଉଚିତ । ଶୀତଦିନ ଛାଡ଼ିଦେଲେ ଆଉ ସବୁ ଋତୁରେ ଭେଣ୍ଡିଚାଷ କରାଯାଇପାରିବ । ଜୁନ୍‌-ଜୁଲାଇ, ସେପ୍ଟେମ୍ବର ଓ ଫେବୃୟାରୀ ମାସରେ ବିହନ ବୁଣାଯାଇପାରେ ।
ବିହନ ବୁଣିବା ପୂର୍ବରୁ ଜମିକୁ ଭଲ ଭାବରେ ହଳ କରି ମାଟି ଗୁଣ୍ଡ କରିଦେବା ଉଚିତ । ଏକ ଏକର ଜମିରେ ଲଗାଇବା ପାଇଁ ୫-୬ କିଲୋଗ୍ରାମ ବିହନ ଦରକାର । ବିହନକୁ କିଲୋଗ୍ରାମ ପିଛା ୩ ଗ୍ରାମ ଥିରାମ ବା ଦେଢ଼ଗ୍ରାମ ବାଭିଷ୍‌ଯିନ ସହ ଗୋଳାଇ ବିଶୋଧନ କରିଦେବା ଉଚିତ । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦ ସେଣ୍ଟିମିଟର ଦୂରତାରେ ବିହନ ବୁଣିବା ଦରକାର । ଏକ ଏକର ଜମିରେ ପ୍ରାୟ ୨୨,୦୦୦ ଗଝ ରହିଥାଏ ।
ଏକ କ୍ୱିଣ୍ଟାଲ ଭେଣ୍ଡି ଅମଳ ହେବା ପାଇଁ ପ୍ରାୟ ୦.୩୦ କି.ଗ୍ରା. ଯବକ୍ଷାର, ୦.୧୩ କି.ଗ୍ର।।. ଫସଫରସ ଓ ୦.୪୫ କି.ଗ୍ରା. ପଟାସ ସାର ଦରକାର ହୋଇଥାଏ । ଏହି ଫସଲରେ ଏକର ପିଛା ୪-୫ ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ । ବିହନ ବୁଣିବା ବେଳେ ଏକର ପିଛା ୧୬ କିଲୋଗ୍ରାମ ଯବକ୍ଷାର, ୧୬ ପକିଲୋଗ୍ରାମ ଫସଫରସ ଓ ୧୬ କିଲୋଗ୍ରାମ ପଟାସ ସାର ଦେବାକୁ ହୁଏ । ବଜାରରେ ମିଳୁଥିବା ସାର କଥା ହିସାବ କଲେ ବୁଣିବା ବେଳକୁ ଏକର ପ୍ରତି ୧୦୦ କି.ଗ୍ରା. ସିଙ୍ଗଲ ସୁପର ଫସଫେଟ୍‌, ୨୭ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ସହିତ ୩୫ କି.ଗ୍ରା. ୟୁରିଆ କିମ୍ବା ୬୪ କି.ଗ୍ରା. କାଲସିଅମ ଆମୋନିଅମ ନାଇଟେଟ୍ କିମ୍ବା ୮୦ କି.ଗ୍ରା. ଆମୋନିଅମ ସଲଫେଟ୍ ମିଶାଇ ପ୍ରୟୋଗ କରିବାକୁ ହେବ । ଏସବୁ ସାର ବଦଳରେ ବୁଣିବା ବେଳେ ଏକର ପିଛା ୫୭ କି.ଗ୍ରା. ଗ୍ରୋମୋର (୨୮-୨୮-୦) ସହିତ ୨୭ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ପ୍ରୟୋଗ କରିବାକୁ ହେବ । ଏହି ସାର ନ ମିଳିଲେ ଏକର ପ୍ରତି ୬୨ କି.ଗ୍ରା. ଏନ୍‌.ପି.କେ. (୧୦-୨୬-୨୬) ସାର ସହିତ ୨୨ କି.ଗ୍ରା. ୟୁରିଆ ବା ୩୯ କି.ଗ୍ରା. କାଲସିଅମ ଆମେନିଅମ ନାଇଟ୍ରେଟ୍ ବା ୪୯ କି.ଗ୍ରା. ଆମୋନିଅମ ସଲଫେଟ୍ ସାର ମିଶାଇ ପ୍ରୟୋଗ କରିବାକୁ ହେବ । ଏହା ବଦଳରେ ଏକର ପ୍ରତି ୮୦ କି.ଗ୍ରା. ସୁଫଳା (୨୦-୨୦-୦) ସହିତ ୨୭ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ମିଶାଇ ପ୍ରୟୋଗ କରାଯାଇପାରେ । ଏହି ସାର ନ ମିଳିଲେ ଏକର ପ୍ରତି ୩୫ କି.ଗ୍ରା. ଡିଏପି ଏବଂ ୨୭ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ ସହିତ ୨୧ କି.ଗ୍ରା. ୟୁରିଆ କିମ୍ବା ୩୯ କି.ଗ୍ରା. କାଲସିଅମ ଆମୋନିଅମ ନାଇଟ୍ରେଟ୍ କିମ୍ବା ୪୯ କି.ଗ୍ରା. ଆମୋନିଅମ ସଲଫେଟ୍ ସାର ମି।।ଇ ପ୍ରୟୋଗ କରିବାକୁ ପଡ଼ିବ । ଏହାର ତିନି ସପ୍ତାହ ପରେ ଏକର ପିଛା ୧୬ କିଲୋଗ୍ରାମ ଯବକ୍ଷାର ବା ୩୫ କି.ଗ୍ରା. ୟୁରିଆ ସାର ଦେଇ ହୁଡ଼ା ଟେକିବାକୁ ପଡ଼ିଥାଏ ।
ବିହନ ବୁଣିବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଘାସ ବାଛି ଦେବା ଦରକାର । ଆବଶ୍ୟକୀୟ ଯବକ୍ଷାର ପ୍ରୟୋଗ କରି ହୁଡ଼ା ଟେକିବା ଉଚିତ । ଘାସ ବାଛିଦେଲେ ଗଛ ଭଲ ବଢ଼େ ଓ ଅଧିକ ଅମଳ ମିଳିଥାଏ । ଭେଣ୍ଡି ଲଗେଇବାର ୭ ଦିନ ପୂର୍ବରୁ ଏକର ପିଛା ୮୦୦ ମି.ଲି. ବୁଟାକ୍ଲୋର ପ୍ରୟୋଗ କଲେ ଘାସ ଦମନ ହୋଇଥାଏ । ଖରାଦିନେ ଭେଣ୍ଡି ଚାଷ କରୁଥିଲେ ପାଣି ମଡ଼ାଇବା ନିହାତି ଦରକାର । ଦେଖିବା କଥା ଯେମିତି ମାଟି ଶୁଖି ନଯାଏ । ଭେଣ୍ଡି ଫସଲ ପାଇଁ ପ୍ରାୟ ୫୦-୬୦ ସେଣ୍ଟିମିଟର ଜଳସେଚନ ଦରକାର ହୋଇଥାଏ । ଏହି ଫସଲରେ ପ୍ରାୟ ୬-୮ ଥର ପାଣି ମଡ଼ାଇବା ଆବଶ୍ୟକ ହୋଇଥାଏ । ବର୍ଷାଦିନେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ଉଚିତ । ପାଣି ଜମି ରହିଲେ ଭେଣ୍ଡି ଫସଲରୁ ଭଲ ଅମଳ ମିଳେନାହିଁ ।
ସାହେବୀ ରୋଗ ଭେଣ୍ଡିର ପ୍ରଧାନ ଶତ୍ରୁ । ଏହି ରୋଗ ଆକ୍ରମଣ କଲେ ପତ୍ରର ଶିରା ହଳଦିଆ ପଡ଼ିଯାଏ । ରୋଗାକ୍ରାନ୍ତ ଗଛର ଫଳ ଛୋଟହୁଏ ଏବଂ ଧଳା ଦେଖାଯାଏ । ଏହି ରୋଗୀ ଜୀବାଣୁ ଧଳାମାଛି ଦ୍ୱାରା ବ୍ୟାପିଥାଏ । କୀଟ ଦମନ କଲେ ରୋଗ ବ୍ୟାପିବା କମ ହୋଇଥାଏ । କୀଟ ଦମନ ପାଇଁ ଏକର ପିଛା ୪୦୦ ମିଲିମିଟର ମାଲାଥିଅନ କିମ୍ବା କୁଇନାଲଫସ ଔଷଧକୁ ୨୦୦ ଲିଟର ପାଟି ସହ ମିଶାଇ ଫସଳରେ ସ୍ପ୍ରେ କରାଯାଇପାରେ । ବେଳେବେଳେ ଭେଣ୍ଡିରେ ପତ୍ରଚିତା ରୋଗ ଦେଖାଯଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୭୫୦ ଗ୍ରାମ ଇଣ୍ଡୋଫିଲ ଏମ୍‌-୪୫ କିମ୍ବା ୫୦୦ ଗ୍ରାମ ବ୍ଲାଇଟକ୍‌ସ -୫୦ ଔଷଧ ପ୍ରୟୋଗ କରାଯାଇ ପାରିବ । ଭେଣ୍ଡିରେ ପତ୍ରଡିଆଁ ପୋକ ଦେଖାଯାଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପିଛା ୪୦୦ ମିଲିଲିଟର ମିଥାଇଲ ଡିମେଟନ ବା ମାଲାଥିଅନ ଔଷଧ ପ୍ରୟୋଗ କରାଯାଇପାରିବ ।
ଭେଣ୍ଡି ଅମଳ ପାଇଁ ବିଶେଷ ଯତ୍ନବାନ ହେବା ଉଚିତ । ଅମଳରେ ବିଳମ୍ବ ଘଟିଲେ ଭେଣ୍ଡି ବୁଢ଼ା ହୋଇଯାଏ । ପ୍ରାୟ ୫୦-୬୦ ଦିନରେ ଭେଣ୍ଡି ଅମଳ ହୋଇଥାଏ । ଏକ ଏକର ଜମିରୁ ୩୦-୪୦ କ୍ୱିଣ୍ଟାଲ ଭେଣ୍ଡି ମିଳିଥାଏ । ଭେଣ୍ଡିରୁ ବିହନ ଉତ୍ପାଦନ କରିବା ଖୁବ୍ ସହଜ । ଗଛରେ ଭଲ ଭାବେ ପାକଳ ହୋଇ ଶୁଖିଗଲେ ଭେଣ୍ଡି ଅମଳ କରାଯାଏ । ଏହାକୁ ଖରାରେ ଶୁଖାଇ ମଞ୍ଜି ଉତ୍ପାଦନ କରାଯାଏ । ବିହନ ପାଇଁ ଫସଲ କିଆରି ନିରୋଗା ହୋଇଥିବା ଦରକାର । ଏଥିରେ ଅନ୍ୟ କିସମର ଗଛ ନ ଥିବା ଉଚିତ । ଗୋଟିଏ କିସମରୁ ଅନ୍ୟ କିସମରେ ଦୂରତା ଅତି କମ୍‌ରେ ୨୦୦ ମିଟର ହେବା ଉଚିତ । ଏକ ଏକର ଜମିରୁ ପ୍ରାୟ ୪-୫ କ୍ୱିଣ୍ଟାଲ ବିହନ ଅମଳ ହୋଇପାରିବ ।

Comments are closed, but trackbacks and pingbacks are open.