କୋଟିଆ ଓଡ଼ିଶାର ଥିଲା ଏବଂ ରହିବ;ଓଡିଶା ସରକାର

115

କୋରାପୁଟ: ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ସମସ୍ୟା ଉତ୍କଳ ପ୍ରଦେଶ ଗଠନ ପରଠାରୁ ରହି ଆସିଛି। ଆନ୍ଧ୍ର -ଓଡିଶା ସୀମାନ୍ତରେ ଥିବା ଏହି ପଞ୍ଚାୟତର ୨୧ଖଣ୍ଡ ଗ୍ରାମ ପୁଞ୍ଜ ସର୍ଭେ ନହୋଇ ବିବାଦୀୟ ଅବସ୍ଥାରେ ସୁପ୍ରିମକୋର୍ଟରେ ମାମଲା ଚାଲିଛି। ପୂର୍ବ ସରକାରମାନେ ଏହି ଅଞ୍ଚଳ ପ୍ରତି ଏତେଟା ଧ୍ୟାନ ଦେଉନଥିଲେ। ଗତ ବିଜେଡି ସରକାର ଏହି ଅଞ୍ଚଳର ବିକାଶ ପାଇଁ ସ୍ଵତନ୍ତ୍ର ଅନୁଦାନ ପ୍ରଦାନ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ପ୍ରତି ସେଭଳି କୋୖଣସି ଆଖିଦୃଶିଆ ପଦକ୍ଷେପ ନେଇନଥିଲେ। ଯାହାଫଳରେ ସୀମାନ୍ତବାସିନ୍ଦାଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ସୀମାନ୍ତ ବାସିନ୍ଦା ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇବା ସହ ଉଭୟ ରାଜ୍ୟ ସରକାରଙ୍କ ନିର୍ବାଚନରେ ଅଂଶ ଗ୍ରହଣ କରୁଛନ୍ତି। ଉଭୟ ରାଜ୍ୟର ଆଧାର, ପ୍ୟାନ ଓ ଭୋଟର କାର୍ଡ ହାତେଇଛନ୍ତି। ଯେଉଁଥିପାଇଁ ସେମାନେ ଉଭୟ ରାଜ୍ୟ ସରକାରଙ୍କ ସୁବିଧା ପାଉଛନ୍ତି। ଏହା ସେମାନଙ୍କ ନ୍ୟାଯ୍ୟ ଅଧିକାର ବୋଲି ଦାବି କରିବାକୁ ପଛାଉ ନାହାଁନ୍ତି। ପୂର୍ବ ରାଜ୍ୟ ସରକାରଙ୍କ ନୀତି ନିୟମଠାରୁ ବର୍ତ୍ତମାନ ସରକାର କିଛି ଅଲଗା ଦିଗ ଆପଣେଇ ଥିବାରୁ ଆଗକୁ ସମାଧାନ ବାଟ ଖୋଲିବାର ଆଶା ଉଜ୍ଜଳ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ସ୍ଵତନ୍ତ୍ର କମିଟି ଗଠନ କରାଯାଇଛି। ଏଥିପାଇଁ ଏକ ସ୍ଵତନ୍ତ୍ର ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ ଜିଲା ପ୍ରଶାସନକୁ କୁହାଯାଇଛି। କୋଟିଆର ବିକାଶ ସହ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଜିଲା ପ୍ରଶାସନ ପଦକ୍ଷେପ ନେଉଛି। ଜିଲାପାଳ ଭି.କୀର୍ତ୍ତିଭାସନ ମଧ୍ୟ କୋଟିଆ ପଞ୍ଚାୟତବାସୀଙ୍କ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ଜଣେ ସ୍ଵତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି , ଗ୍ରାମ ପୁଞ୍ଜରେ ପକ୍କା ଗୃହ ଓ ରାସ୍ତା ନିର୍ମାଣ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସାଙ୍ଗକୁ ଏକ ବ୍ଳକ ଭାବେ ଘୋଷଣା କରାଯିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

Comments are closed, but trackbacks and pingbacks are open.