କୋଟିଆ ଓଡ଼ିଶାର “ଆନ୍ଧ୍ର ଗୋ ବ୍ୟାକ୍‌” ବିଜେପିର ସ୍ପଷ୍ଟ ମତ: ଭୃଗୁ ବକ୍ସିପାତ୍ର

28

ଭୁବନେଶ୍ୱର, ତା.୦୨/୦୪: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି । ଓଡିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ ଶ୍ରୀ ପ୍ରଧାନ ସେମାନଙ୍କ ପାଖରେ ପଂହଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଜଣେ ଓଡ଼ିଆ ପୁଅ ଓ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାକୁ ଓଡ଼ିଆ ଲୋକ ଶାସନ କରୁନଥିବାରୁ ରାଜ୍ୟ ସରକାର କୋଟିଆରେ ପଶିବା ପାଇଁ ଆନ୍ଧ୍ରପ୍ରଦେଶକୁ ପ୍ରଶୟ ଦେଉଛନ୍ତି । କିଛି ଦିନ ତଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ହଠାତ୍ ଆସିଲେ କାହିଁକି? କେଉଁଥି ପାଇଁ ଓ କଣ କଥା ହେଲେ ତାହାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସାର୍ବଜନୀନ କରିଲେ ନାହିଁ । ସ୍ଥାନୀୟ ଗ୍ରାମବାସୀ ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନ ସଭା ଚାଲିଥିବାବେଳେ ଆନ୍ଧ୍ରର ଅଫିସରମାନେ କୋଟିଆ ଅଂଚଳରେ ଚକର କାଟୁଥିଲେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ଆନ୍ଧ୍ରର ଉପଦ୍ରବ୍ୟ କୋଟିବା ଭିତରେ ଅଧିକ ବଢ଼ିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
“ଆନ୍ଧ୍ର ଗୋ ବ୍ୟାକ” ଭାରତୀୟ ଜନତା ପାର୍ଟିର ସ୍ପଷ୍ଟ ଷ୍ଟାଣ୍ଡ । ଏଥିରେ କୌଣସି ଦ୍ୱିମତ କିମ୍ବା ଦ୍ୱନ୍ଦ୍ୱ ନାହିଁ । ଭାରତୀୟ ଜନତା ପାର୍ଟିର ବିଧାୟକମାନେ ବାରମ୍ବାର ବିଧାନସଭାରେ ବାଚସ୍ପତି ଓ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ ଯେ, ହାଉସକମିଟିକୁ ବାଚସ୍ପତିଙ୍କ ନେତୃତ୍ୱରେ ଥରେ କୋଟିଆ ଗସ୍ତ କରନ୍ତୁ । ରାଜ୍ୟ ସରକାର କୋଟିଆକୁ ଆନ୍ଧ୍ର ହାତରେ ଟେକିଦେବା ପାଇଁ ବସିଛନ୍ତି । କୋଟିଆକୁ ଆନ୍ଧ୍ର କବଜା କରିବାକୁ ମସୁଧା ଚଳାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିନେ ବି ସେଠାକୁ ନଯିବା ଦୁଃଖର ବିଷୟ । କିନ୍ତୁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଓ ଅନୁଦାନରେ କୋଟିଆ ଅଂଚଳରେ ଶିକ୍ଷା, ଗମନାଗମନ, କୃଷି ଓ ଅର୍ଥକାରୀ ଫସଲର ଭିତିଭୂମି ନିର୍ମାଣ ସହ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଅଗ୍ରଗତି ଘଟିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କୋଟିଆ ଯାଇଥିଲେ ଓ ଗତକାଲି ଉତ୍କଳ ଦିବସ ଥିବାରୁ କୋଟିଆ ଅଂଚଳ ଗସ୍ତ କରିଥିଲେ । ଏହାପରେ କୋଟିଆର ଗ୍ରାମପୁଞ୍ଜରେ ଆନ୍ଧ୍ରର ଜଣେ ଅଧିକାରୀ କୋଟିଆ ଏକ ବିବାଦୀୟ ଅଂଚଳ ବୋଲି କହିଥିଲେ । ଏହାଶୁଣି ଶ୍ରୀ ପ୍ରଧାନ କୋଟିଆ ସମ୍ପୂର୍ଣ୍ଣଭାବେ ଓଡ଼ିଶାର, ଆନ୍ଧ୍ରର ନୁହେଁ ବୋଲି ସ୍ପଷ୍ଟ କରିଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି ।
କୋଟିଆ ଅଂଚଳକୁ ଗତକିଛି ବର୍ଷ ହେଲା ପର୍ଯ୍ୟାୟକ୍ରମେ ଆନ୍ଧ୍ରରମନ୍ତ୍ରୀ, ବିଧାୟକ ଓ ଅଧିକାରୀ ବାରମ୍ବାର ଆସୁଥିବାବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । କୋଟିଆ ପ୍ରସଙ୍ଗରେ ବିଜୁ ଜନତା ଦଳ ଓ କଂଗ୍ରେସ ଉଭୟ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

Comments are closed, but trackbacks and pingbacks are open.