କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଆମର ଭାବାବେଗ କୋଟିଆବାସୀଙ୍କ ସହ ଜଡ଼ିତ – ଧର୍ମେନ୍ଦ୍ର ପ୍ରଧାନ

177

ଭୁବନେଶ୍ୱର, ମଇ ୨୩ –  କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । କୋଟିଆବାସୀଙ୍କ ସହ ଆମର ଭାବାବେଗ ଜଡ଼ିତ ବୋଲି ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗ୍ରାମସମୂହର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା କମିଟିକୁ ସ୍ୱାଗତ କରିବା ଅବସରରେ କହିଛନ୍ତି ।ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ କୋରାପୁଟ ଜିଲ୍ଲା କୋଟିଆ ଗ୍ରାମସମୂହର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା କୋଟିଆର ଜନସାଧାରଣଙ୍କ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଓଡ଼ିଶାର ସୀମାକୁ ଭୌଗୋଳିକ ଓ ସାଂସ୍କୃତିକ ରୂପେ ସୁରକ୍ଷିତ ରଖିବାର ସଂକଳ୍ପନା ନେଇ ମୁଁ ପୂର୍ବରୁ କୋଟିଆ ଗସ୍ତରେ ଯାଇଥିଲି । କୋଟିଆର ସ୍ଥାୟୀ ସମାଧାନ ପାଇଁ ଅନେକ ଥର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଅନୁରୋଧ କରିଛି । ଅନୁରୋଧ ଓ ଦାବି ସତ୍ତ୍ୱେ ପୂର୍ବ ସରକାର ଏହି ବିଷୟରେ କର୍ଣ୍ଣପାତ କରିନଥିଲେ ।ରାଜ୍ୟ ସରକାର ନେଇଥିବା ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଡବଲ ଇଞ୍ଜିନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପାଇବେ । ଆମ ଓଡ଼ିଆ ଭାଷା, ସଂସ୍କୃତି, ଅସ୍ମିତା, ସାହିତ୍ୟ, ପରମ୍ପରା ଓ ପର୍ବପର୍ବାଣୀର ପ୍ରଚାର ପ୍ରସାର ହେବ । ରାଜ୍ୟର ଭୌଗୋଳିକ ସୀମା ସୁରକ୍ଷିତ ରହିବ । କୋଟିଆବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Comments are closed, but trackbacks and pingbacks are open.