‘ପୌର ପ୍ରଶାସନର ପୁନର୍ବିଚାର’ ଉପରେ ଜ୍ଞାନ ବିନିମୟ

31

ଭୁବନେଶ୍ୱର, ୭ ଅଗଷ୍ଟ:

ଦ୍ରୁତ ସହରୀକରଣ ପରିପ୍ରେକ୍ଷୀରେ ପୌର ପ୍ରଶାସନକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ଜନକୈନ୍ଦ୍ରିକ କରିବା ସହ ପ୍ରମାଣଭିତ୍ତିକ ନୀତି ପ୍ରଣୟନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ “ପୌର ପ୍ରଶାସନର ପୁନର୍ବିଚାର: କିଛି ପ୍ରତିଫଳନ” ଶୀର୍ଷକ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।

ଗତ କାଲି ଖାରବେଳ ଭବନ ଅଷ୍ଟମ ମହଲା ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ନେଦରଲ୍ୟାଣ୍ଡସ୍‌ର ଲେଡେନ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ପ୍ରଳୟ କାନୁନଗୋ ଅଧିବେଶନରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ୱର ବିଭିନ୍ନ ଦେଶର ପୌର ପ୍ରଶାସନ ବ୍ୟବସ୍ଥା ଓ ସମସାମୟିକ ଅଭିଜ୍ଞତାକୁ ଉପସ୍ଥାପନ କରି ସେ କହିଥିଲେ ଯେ, ନାଗରିକଙ୍କ ଆବଶ୍ୟକତାକୁ କେନ୍ଦ୍ରରେ ରଖି ପୌର ସଂସ୍ଥାଗୁଡ଼ିକୁ ଅଧିକ ଉତ୍ତରଦାୟୀ ଓ ଭବିଷ୍ୟତମୁଖୀ କରାଯାଇପାରିଲେ ସହରାଞ୍ଚଳରେ ସେବା ପ୍ରଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ନାଗରିକଙ୍କ ଜୀବନମାନରେ ଉଲ୍ଲେଖନୀୟ ଉନ୍ନତି ଆସିପାରିବ । ଅଧିବେଶନରେ ନୂତନ ନୀତିଗତ ଦୃଷ୍ଟିଭଙ୍ଗୀ, ପ୍ରତିଷ୍ଠାନଗତ ସଂସ୍କାର ଏବଂ ସ୍ଥାନୀୟ ସଂସ୍ଥାଗୁଡ଼ିକର କ୍ଷମତାବୃଦ୍ଧି ମାଧ୍ୟମରେ ପୌର ପ୍ରଶାସନକୁ ଅଧିକ ସକ୍ଷମ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ସମାଜର ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ସମାବେଶୀ ଓ ସମତାଭିତ୍ତିକ ସହର ବିକାଶକୁ ଆଗେଇ ନେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ସହରାଞ୍ଚଳ ବନ୍ୟା ଓ ଜଳବାୟୁ ପରିବର୍ତ୍ତନଜନିତ ବିପଦର ସଫଳ ମୁକାବିଲା ପାଇଁ ସ୍ଥିତିସ୍ଥାପକ ଭିତ୍ତିଭୂମିର ବିକାଶ ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ସ୍ୱଚ୍ଛ ଓ ଦକ୍ଷ ପୌର ପ୍ରଶାସନ ପାଇଁ ତଥ୍ୟଭିତ୍ତିକ ପରିଚାଳନା ଓ ଡିଜିଟାଲ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ, ପୌର ଆର୍ଥିକ ପରିଚାଳନାର ସୁଦୃଢ଼ୀକରଣ, ରାଜସ୍ୱ ସଂଗ୍ରହରେ ବୃଦ୍ଧି ଏବଂ ନାଗରିକ ସେବାର ମାନୋନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଅଧିକ ସଶକ୍ତ କରିବା ପାଇଁ ନିରନ୍ତର କ୍ଷମତା ବିକାଶ, ପ୍ରତିଷ୍ଠାନଗତ ସଶକ୍ତୀକରଣ ଓ ବିକେନ୍ଦ୍ରୀକରଣର ଆବଶ୍ୟକତା ଉପରେ ଅଂଶଗ୍ରହଣକାରୀମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ଓଡିଶା ଅର୍ବାନ ଏକାଡେମୀ ନିର୍ଦ୍ଦେଶକ ଶୁଭେନ୍ଦୁ ସାହୁଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ପୌର ନିଗମର କମିଶନର, ପୌରପାଳିକା ଓ ଏନ୍ ଏ ସିର ନିର୍ବାହୀ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ଏହି ଅଧିବେଶନରେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଦକ୍ଷ ଓ ଉତ୍ତରଦାୟୀ ସହରୀୟ ପ୍ରତିଷ୍ଠାନ ଗଠନ ପାଇଁ ନିରନ୍ତର ଜ୍ଞାନାର୍ଜନ ଏବଂ ବିଶ୍ୱସ୍ତରୀୟ ଉତ୍ତମ ଅଭ୍ୟାସ ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ । ଓଡ଼ିଶାର ସହରଗୁଡ଼ିକ ଦ୍ରୁତ ବିକାଶ ପଥରେ ଥିବାରୁ ପୌର ପ୍ରଶାସନକୁ କେବଳ ସେବା ପ୍ରଦାନକାରୀ ସଂସ୍ଥା ଭାବେ ନୁହେଁ, ବରଂ ସ୍ଥାୟୀ, ସମାବେଶୀ ଓ ଜନକୈନ୍ଦ୍ରିକ ସହର ବିକାଶର ନେତୃତ୍ୱ ନେଉଥିବା ରଣନୀତିଗତ ଅନୁଷ୍ଠାନରେ ପରିଣତ ହେବାକୁ ପଡ଼ିବ । ଆନ୍ତର୍ଜାତିକ ଅଭିଜ୍ଞତା ଓ ସ୍ଥାନୀୟ ଉଦ୍ଭାବନର ସମନ୍ୱୟ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ସେ କହିଥିଲେ । ପ୍ରଫେସର ପ୍ରଳୟ କାନୁନଗୋ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି କହିଥିଲେ ଯେ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ ଓ ପ୍ରଶାସକଙ୍କ ମଧ୍ୟରେ ନିରନ୍ତର ସଂଳାପ ଓ ସହଯୋଗ ଭବିଷ୍ୟତମୁଖୀ, ସମାବେଶୀ ଏବଂ ସ୍ଥିତିସ୍ଥାପକ ସହର ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହି ଜ୍ଞାନ ବିନିମୟ ଅଧିବେଶନ ମାଧ୍ୟମରେ ବିଶ୍ୱସ୍ତରୀୟ ଜ୍ଞାନ ଓ ଅଭିଜ୍ଞତାର ସୁଯୋଗ ସୃଷ୍ଟି, ନୀତିଗତ ଉଦ୍ଭାବନକୁ ପ୍ରୋତ୍ସାହନ ଏବଂ ଉତ୍ତମ ପ୍ରଶାସନିକ ଅଭ୍ୟାସର ପ୍ରସାର ଜରିଆରେ ସହରୀୟ ପ୍ରଶାସନର କ୍ଷମତା ବୃଦ୍ଧି ପ୍ରତି ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ପୁନଃ ପ୍ରତିଫଳିତ ହୋଇଛି । ଏଭଳି ପଦକ୍ଷେପ ରାଜ୍ୟରେ ସୁଶାସନଭିତ୍ତିକ, ସମାବେଶୀ ଓ ସ୍ଥାୟୀ ସହର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା ।

Comments are closed, but trackbacks and pingbacks are open.