ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍‍ ଖେଳାଳି

33

ଭୁବନେଶ୍ୱର, ୨୬ ।୧୦: ଗୁଜରାଟରେ ନିକଟରେ ସମାପ୍ତ ହୋଇଥିବା ୩୬ତମ ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ପୁରସ୍କୃତ କରାଯାଇଛି । ଗତକାଲି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କି ଓ କ୍ରୀଡ଼ା ସଚିବ ଆର ଭିନିଲ୍‍କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ରହି ସମସ୍ତ ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ କିସ୍‍ର ଅନେକ ଛାତ୍ରୀ ରଗ୍‍ବୀ, ଖୋ ଖୋ, ଫୁଟବଲ୍‍ ଆଦି ବିଭାଗରେ ପଦକ ଜିତି ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ମଧ୍ୟ ହାସଲ କରିଥିଲେ । ଏଥି ପାଇଁ  କିସ୍‍ ଛାତ୍ରୀମାନେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିଆସୁଛନ୍ତି । ଏଥିପାଇଁ ଓଡ଼ିଶାର ଖେଳାଳି ଏବେ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରୁଛନ୍ତି ।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି କିସ୍‍ରେ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ପଦକ ଓ ପୁରସ୍କାର ପାଇବା ପରେ ଆଜି କିସ୍‍ ଛାତ୍ରୀମାନେ ଶ୍ରୀ ସାମନ୍ତଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ସାମନ୍ତ କିସ୍‍ର ସଫଳ ଖେଳାଳିଙ୍କୁ ଉପଦେଶ ଦେଇ କହିଛନ୍ତି ଯେ, ପିଲାମାନେ ସେମାନଙ୍କ ନିଜ ନିଜ ଗ୍ରାମରେ ସେମାନେ ପାଇଥିବା ପୁରସ୍କାର ରାଶିରେ ଗୋଟିଏ ଲେଖାଏଁ ପକ୍‍କା ଘର କରି ବାପା ମାଆଙ୍କୁ ଉପହାର ଦେବେ । ଏହା ସହିତ କିସ୍‍ ତରଫରୁ ମଧ୍ୟ ଏହି ଘର ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ପିଲାମାନେ ମଧ୍ୟ ଶ୍ରୀ ସାମନ୍ତଙ୍କ ଉପଦେଶରେ ସହମତି ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.