ଦାରିଙ୍ଗିବାଡ଼ିର ଦୁଇ ଅସହାୟ ଶିଶୁଙ୍କୁ ସହଯୋଗର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ୍
ଭୁବନେଶ୍ୱର, ୧୪ ।୧୧: ନିକଟରେ ଆମ୍ବଟାକୁଆ ଖାଇ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମର ଅନୀଲ ପାଟ୍ଟମାଝିଙ୍କ ପତ୍ନୀ ରୁମିତାଙ୍କ ଅକାଳ ମୃତ୍ୟୁ ହୋଇଯାଇଛି । ଫଳରେ ତାଙ୍କର ଅଢ଼େଇ ବର୍ଷର ପୁଅ ଓ ୬ ମାସର ଝିଅ ମାତୃ ସ୍ନେହରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ କିଟ୍, କିସ୍ ଓ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଦୁଇ ଶିଶୁଙ୍କ ସମ୍ପର୍କରେ ଜାଣିବା ପରେ ସେମାନଙ୍କ ଖାଇବା ଓ ଚଳିବା ପାଇଁ ଆଜି ତୁରନ୍ତ ସେମାନଙ୍କ ବାପା ଅନୀଲଙ୍କୁ ନିଜ ପ୍ରତିନିଧିଙ୍କ ଜରିଆରେ ନଗଦ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେମାନଙ୍କୁ ୫ବର୍ଷ ବୟସ ହେବା ପର୍ଯ୍ୟନ୍ତ ଏହି ସହାୟତା ରାଶି ବ୍ୟାଙ୍କ ଜରିଆରେ ସେମାନଙ୍କ ନିକଟରେ ପହଞ୍ଚାଇ ଦିଆଯିବ । ୫ବର୍ଷ ବୟସ ହେବାପରେ କିସ୍ ଫାଉଣ୍ଡେସନ୍ ଜରିଆରେ ସେମାନଙ୍କୁ କିସ୍ରେ ବିନାଦେୟରେ ପାଠ ପଢ଼ାଇବାର ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ଭଲ ଗାୟକ କରିବା ଲକ୍ଷ୍ୟରେ ନିଜ ପୁଅର ନାମ ଏ ଆର୍ ରହମାନ ରଖିଥିବା ରୁମିତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କିସ୍ ଫାଉଣ୍ଡେସନ୍ ନିଶ୍ଚିତ ଭାବେ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ସହ ଦୁଇ ଶିଶୁଙ୍କୁ କିସ୍ରେ ଉଚ୍ଚଶିକ୍ଷା ସହ ଶିକ୍ଷା ଶେଷରେ ନିଯୁକ୍ତି ବ୍ୟବସ୍ଥା କରାଯିବ । ଏହା ବ୍ୟତୀତ ମାଣ୍ଡିପଙ୍କା ଗ୍ରାମର କିଛି ପିଲା କିସ୍ରେ ଏବେ ପାଠ ପଢ଼ୁଛନ୍ତି । ଗ୍ରାମର ଅନ୍ୟ ପିଲାମାନେ ଚାହିଁଲେ ସେମାନେ ମଧ୍ୟ ଆସନ୍ତା ଶିକ୍ଷାବର୍ଷଠାରୁ କିସ୍ରେ ନାମ ଲେଖାଇ ପାଠ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି । ଶ୍ରୀ ସାମନ୍ତ ଓ କିସ୍ ପାଉଣ୍ଡେସନ୍ର ବଦାନ୍ୟତା ପାଇଁ ଅନୀଲ କୃତଜ୍ଞତା ଜଣାଇଥିବା ବେଳେ କିସ୍ ଫାଉଣ୍ଡେସନ୍ର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।
Comments are closed, but trackbacks and pingbacks are open.