ହାତ ଛାଡି ପଦ୍ମ ଧରିବେ କିରନ ରେଡ୍ଡି!

21

ଦୋହଲିଲାଣି କଂଗ୍ରେସ । କଂଗ୍ରେସକୁ ପୁଣି ଝଟକା । ହାତ ଛାଡିଲେ କିରନ ରେଡ୍ଡି । ବିଜେପିରେ ସାମିଲ ହେବା ନେଇ ବଢିଲା ଚର୍ଚ୍ଚା । ହାତ ଛାଡିଲେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ । କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାଲାରି କିରନ କୁମାର ରେଡ୍ଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରେଡ୍ଡି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଥିଲେ ରେଡ୍ଡି ।

୨୦୧୦ ନଭେମ୍ବର ୨୫ରୁ ୨୦୧୪ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୪ ଜୁନ୍ ୨ରେ ଆନ୍ଧ୍ରପ୍ରଦେଶର ବିଭାଜନ କରାଯାଇ ତେଲଙ୍ଗାନା ରାଜ୍ୟ ଗଠନ ହୋଇଥିଲା । ୨୦୧୪ରେ ରେଡ୍ଡି ନିଜସ୍ୱ ଆଞ୍ଚଳିକ ଦଳ ଗଠନ କରିଥିଲେ । ମାତ୍ର ୨୦୧୪ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଥିଲା । ପରେ ସେ ରାଜନୀତିରେ ନିରବ ରହିଥିଲେ । ୧୩ ଜୁଲାଇ ୨୦୧୮ ରେ ସେ ପୁନର୍ବାର କଂଗ୍ରେସରେ ସାମିଲ ହୋଇଥିଲେ । ଏବେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ତେବେ କିରନ ରେଡ୍ଡିଙ୍କ ପିତା ଅମରନାଥ ରେଡ୍ଡି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସରକାରରେ ମନ୍ତ୍ରୀ ଥିଲେ । କିରନ ରେଡ୍ଡି ବାଲ୍ମିକୀପୁରମ ଆସନରୁ ବିଧାନସଭାକୁ ୧୯୮୯, ୧୯୯୯ ଓ ୨୦୦୪ରେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସେ ପିଲେରୁ ଆସନରୁ ବିଜୟୀ ହୋଇଥିଲେ । ରେଡ୍ଡି ଆନ୍ଧ୍ରପ୍ରଦେଶର ୧୩ ତମ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ । ତେବେ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.