କିମସ ନେଫ୍ରୋଲୋଜିଷ୍ଟ ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକଙ୍କୁ ‘ଦ୍ରୋଣାଚାର୍ଯ୍ୟ ପୁରସ୍କାର’

13

ଭୁବନେଶ୍ୱର: ନେଫ୍ରୋଲୋଜି କ୍ଷେତ୍ରରେ ଆଜୀବନ ଅବଦାନ ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମସ), ଭୁବନେଶ୍ୱରର ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକଙ୍କୁ ପ୍ରତିଷ୍ଠିତ ‘ଦ୍ରୋଣାଚାର୍ଯ୍ୟ ପୁରସ୍କାର’ ପ୍ରଦାନ କରାଯାଇଛି। ଆସୋସିଏସନ୍‌ ଅଫ୍‌ ଭାସ୍କୁଲାର ଆକ୍ସେସ୍‌ ଆଣ୍ଡ୍‌ ଇଣ୍ଟରଭେନସନ୍‌ ଇନ୍‌ ରିନାଲ୍‌ ଫିଜିକ୍ସ (ଅବତାର) ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

ଚେନ୍ନାଇଠାରେ ଅଗଷ୍ଟ ୨୩ରେ ଆୟୋଜିତ ଅବତାର ଫାଉଣ୍ଡେସନ୍‌ ଓ ଅବତାର ଇଣ୍ଡିଆ ସୋସାଇଟିର ତୃତୀୟ ବାର୍ଷିକ ସମ୍ମିଳନୀରେ ଡା. ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଜଣେ ଦକ୍ଷ ଶିକ୍ଷକ ଭାବେ ତାଙ୍କର ଅବଦାନ ସହ ନେଫ୍ରୋଲୋଜି ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକାକୁ ଏହି ସମ୍ମାନ ସ୍ୱୀକୃତି ଦେଇଛି।

ସମ୍ମାନ ଗ୍ରହଣ କରି ଡା. ପଟ୍ଟନାୟକ ଏହାକୁ ତାଙ୍କ ଚିକିତ୍ସା ପେସାର ଯାତ୍ରାରେ ଏକ ‘ଗଭୀର ମାଇଲଖୁଣ୍ଟ’ ବୋଲି ବର୍ଣ୍ଣନା କରିଥିଲେ। ଏହି ପୁରସ୍କାର କେବଳ ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସହକର୍ମୀ ଓ ସମଗ୍ର କିମସର ମିଳିତ ପ୍ରୟାସର ମଧ୍ୟ ସ୍ୱୀକୃତି ବୋଲି ସେ କହିଥିଲେ।

ରୋଗୀସେବା କରିବା ଏବଂ ସ୍ୱାସ୍ଥ୍ୟସେବାର ଉନ୍ନତିରେ ଅବଦାନ ରଖିବା ପାଇଁ କିମସ ପକ୍ଷରୁ ମିଳିଥିବା ସୁଯୋଗ ଓ ପରିବେଶ ପାଇଁ ସେ କୃତଜ୍ଞତା ଜଣାଇଥିଲେ। ଏଥିସହ କିଟ, କିମସ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାର୍ଗଦର୍ଶନରେ ଏହା ସମ୍ଭବ ହୋଇଥିବା ସେ ପ୍ରକାଶ କରିଛନ୍ତି। ମାନବସେବା ପ୍ରତି ତାଙ୍କର ଦୂରଦୃଷ୍ଟି, ନେତୃତ୍ୱ ଓ ପ୍ରତିବଦ୍ଧତା ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କୁ ଉତ୍କର୍ଷ ପାଇଁ ପ୍ରେରଣା ଯୋଗାଇ ଆସୁଛି ବୋଲି ଡା. ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, କିମସରେ ଯୋଗଦେବା ପୂର୍ବରୁ ଡା. ପଟ୍ଟନାୟକ ଭାରତୀୟ ରେଳବାଇରେ ୩୦ ବର୍ଷ କାର୍ଯ୍ୟ କରିଥିଲେ। ରେଳବାଇ ସହ ତାଙ୍କର ଦୀର୍ଘ ବୃତ୍ତିଗତ ସମ୍ପର୍କ ସମୟରେ ମିଳିଥିବା ଅଭିଜ୍ଞତା ଓ ସୁଯୋଗ ତାଙ୍କ ଚିକିତ୍ସା ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେ କହିଥିଲେ।

Comments are closed, but trackbacks and pingbacks are open.