କିମ୍ସରେ ଡାକ୍ତରଙ୍କ ଦ୍ୱାରା ଜଟିଳ ଯକୃତ ଅସ୍ତ୍ରୋପଚାର

63

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାର କିମ୍ସରେ ଏକ ଜଟିଳ ଯକୃତ ଅସ୍ତ୍ରୋପଚାର କରାଯାଇଛି । କିମ୍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ଶିଶୁର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ଏକ ବିରଳ ଟ୍ୟୁମର ହୋଇଥିଲା। ଏହା ଶିଶୁଟିର ଫୁସ୍‍ଫୁସ୍‍ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଶିଶୁଟି ପେଟରେ ମାସ ମାସ ଧରି ଯନ୍ତ୍ରଣା ଅନୁଭବ କରିବା ସହ ପେଟ ଫୁଲି ରହୁଥିଲା ଏବଂ ତାର ଭୋକ କମିଯାଇଥିଲା। ବହୁ ଡାକ୍ତରଖାନାରେ ଚିକିତ୍ସା ପରାମର୍ଶ ନେଇଥିଲେ ମଧ୍ୟ ଶିଶୁଟିକୁ ଯନ୍ତ୍ରଣାରୁ ଉପଶମ ମିଳିନଥିଲା। ପରେ ଶିଶୁଟିର ବାପା ମା ତାକୁ କିମ୍ସକୁ ଆଣି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ନିରୀକ୍ଷା ପରେ ଶିଶୁଟିର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ବିରଳ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। କିମ୍ସ ହେମାଟୋ ଅନ୍‍କୋଲୋଜିଷ୍ଟ ଡା ପଳାସ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରନ୍ତ କେମୋଥେରାପି ଆରମ୍ଭ କରାଯାଇଥିଲା। କେମୋ ଦେବା ପରେ ଶିଶୁଟିର ଅବସ୍ଥାରେ ଉନ୍ନତି ଆସିଥିଲେ ମଧ୍ୟ ଅସ୍ତ୍ରୋପଚାର ଦୃଷ୍ଟିରୁ ଟ୍ୟୁମରଟି ବଡ଼ ଥିଲା। ଶିଶୁଟିର ଏଭଳି ଅବସ୍ଥାରେ କିମ୍ସର ଇଣ୍ଟରଭେନ୍‍ସନାଲ୍‍ ରେଡିଓଲୋଜିଷ୍ଟ ଡା. ସ୍ୱାତୀ ଦାସଙ୍କ ପରାମର୍ଶ କ୍ରମେ ଟେସ୍‍ (ଟ୍ରାନ୍‍ସଆର୍ଟେରିଆଲ୍‍ କେମୋଏମ୍ବୋଲାଇଜେସନ୍‌) ପ୍ରକ୍ରିୟାରେ କେମୋ ପ୍ରଦାନ କରାଯାଇଥିଲା।

Comments are closed, but trackbacks and pingbacks are open.