ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ କିଟ୍‍ ଛାତ୍ର ସ୍ନେହାଦୀପ

773

ସର୍ବ କନିଷ୍ଠ ପ୍ରତିନିଧି ପଠାଇବାରେ କିଟ୍‍ ବିଶ୍ୱର ପ୍ରଥମ ଅନୁଷ୍ଠାନ

ଭୁବନେଶ୍ୱର, ୧୪ ।୭: ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକରେ ଜଣେ କିଶୋରଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥାଏ। କାରଣ ଏହି ବୈଠକରେ ଅନ୍ୟମାନେ ପ୍ରାୟ ପ୍ରବୀଣ ଓ ବୟସ୍କ ଥିଲେ। ଛାତ୍ର ଜଣକ ନିଜ ପରିଚୟ ଦେଇ କହିଥିଲେ, “ମୁଁ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହାଦୀପ”। ଏତିକିରେ ସମଗ୍ର ବୈଠକ କରତାଳିରେ ଭରି ଯାଇଥିଲା। ଲଂଲଣ୍ଡର ୱାଲେସ୍‍ସ୍ଥିତ କାର୍ଡିଫ ବିଶ୍ୱବିଦ୍ୟାଳୟଠାରେ ଜୁଲାଇ ୩ରୁ ୭ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ଉପସ୍ଥିତ ଥିବା ରୟାଲ ଆଷ୍ଟ୍ରୋନମିକାଲ ସୋସାଇଟିର ସଭାପତି ଡ. ମାଇକ୍‍ ଏଡ୍‍ମଣ୍ଡସ ଓ ଅନ୍ୟ ବୈଜ୍ଞାନିକଙ୍କୁ ମଧ୍ୟ ଏହା ଚକିତ କରିଥିଲା। ଏହି ବୈଠକରେ ଜଣେ କିଶୋର ବୈଜ୍ଞାନିକ ଯୋଗଦେବାରେ ସ୍ନେହାଦୀପ ହେଉଛନ୍ତି ପ୍ରଥମ।
ଗତ ସପ୍ତାହରେ ଇଂଲଣ୍ଡର ସମ୍ମାନଜନକ ଜ୍ୟୋତିର୍ବିଜ୍ଞାନ ବୈଠକରେ ଭାରତରୁ ଏକ ମାତ୍ର କିଶୋର ବୈଜ୍ଞାନିକ ଭାବେ କିଟ୍‍ ଛାତ୍ର ସ୍ନେହାଦୀପ ଯୋଗଦେଇ ଭାରତର ସମ୍ମାନ ବୃଦ୍ଧି କରିଛନ୍ତି। କେବଳ ସେତିକି ନୁହେଁ, ଜଣେ କିଶୋର ପ୍ରତିନିଧିଙ୍କୁ ଇଂଲଣ୍ଡ ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକକୁ ପଠାଇବାରେ କିଟ୍‍ ବିଶ୍ୱର ଏକମାତ୍ର ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଥିବା ରୟାଲ ଆଷ୍ଟ୍ରୋନମିକାଲ ସୋସାଇଟିର ସଦସ୍ୟମାନେ ପ୍ରକାଶ କରିଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରି ସ୍ନେହାଦୀପ ବୈଠକରେ ‘ସାହାଙ୍କ ଥିଓରୀ ଅଫ୍‍ ଥର୍ମାଲ୍‍ ଆୟୋନାଇଜେସନ୍‍ ଇନ୍‍ ଷ୍ଟାର୍‍ ଫର୍ମେସନ୍‍’ ଉପରେ ଏକ ପୋଷ୍ଟର ଉପସ୍ଥାପନା କରିଥିଲେ। ଏହି ବୈଠକରେ ସମଗ୍ର ବିଶ୍ୱରୁ ୧୭୬ଟି ଗବେଷଣାତ୍ମକ ପୋଷ୍ଟର ମନୋନୀତ ହୋଇଥିବା ବେଳେ ବୈଠକରେ ପୋଷ୍ଟର ଉପସ୍ଥାପନ କରିବାରେ କିଟ୍‍ ହେଉଛି ଏକମାତ୍ର ଭାରତୀୟ ବିଶ୍ୱବିଦ୍ୟାଳୟ। ସୂଚନାଯୋଗ୍ୟ, ଏଭଳି ସୁଯୋଗ ସାଧାରଣତଃ ପୋଷ୍ଟ ଡକ୍ଟୋରେଟ୍‍ ଗବେଷକ ଏବଂ ସାଇଣ୍ଟିଫିକ୍‍ ପ୍ରଫେସନାଲ୍‍ମାନଙ୍କୁ ମିଳିଥାଏ।

ଇଂଲଣ୍ଡର ରାଷ୍ଟ୍ରୀୟ ଜ୍ୟୋତିର୍ବିଜ୍ଞାନ ବୈଠକ ହେଉଛି ରୟାଲ ଆଷ୍ଟ୍ରୋନମିକାଲ ସୋସାଇଟିର ବାର୍ଷିକ ବୈଜ୍ଞାନିକ ସମ୍ମିଳନୀ। ଏହା ବିଶ୍ୱର ସର୍ବବୃହତ ଜ୍ୟୋତିର୍ବିଜ୍ଞାନ ସମ୍ମଳନୀ ମଧ୍ୟରୁ ଅନ୍ୟତମ। ଏଥିରେ ପ୍ରତିବର୍ଷ ସମଗ୍ର ବିଶ୍ୱରୁ ୬ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥାନ୍ତି।
ବୈଠକରେ ସ୍ନେହାଦୀପ ଡ. ଏଡମଣ୍ଡସଙ୍କ ବ୍ୟତୀତ ନୋବେଲ ବିଜେତା ଡ. ଜେମ୍‍ସ ପିବଲ୍‍ସ ଓ ଡ. ଜନ ପିକକ୍‍ଙ୍କ ଭଳି ବିଶ୍ୱର ଅନେକ ପ୍ରତିଷ୍ଠିତ ଜ୍ୟୋତିର୍ବଜ୍ଞାନୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ। ଏଭଳି ସୁଯୋଗ ଦେଇଥିବାରୁ ସ୍ନେହାଦୀପ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟର ସହଯୋଗ ଓ ଶ୍ରୀ ସାମନ୍ତଙ୍କ ପ୍ରୋତ୍ସାହନ ନ ଥିଲେ ମୋର ଏହି ସ୍ୱପ୍ନ ସାକାର ହୋଇପାରି ନ ଥାନ୍ତା। ଅପରପକ୍ଷରେ ଶ୍ରୀ ସାମନ୍ତ ସ୍ନୋହାଦୀପଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହା ପୂର୍ବରୁ ସ୍ନେହାଦୀପ ଆଜରବାଇଜାନର ବାକୁରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ କଂଗ୍ରେସ ୨୦୨୩ ଭଳି ଅନେକ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

Comments are closed, but trackbacks and pingbacks are open.