କିଟ ଓ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଦକ୍ଷତା ଭିତ୍ତିକ ତାଲିମ ନେଇ
କିଟ୍‍ ଓ ଏନ୍‍ବିସିସି ମଧ୍ୟରେ ବୁଝାମଣା

25

ଭୁବନେଶ୍ୱର, ୨୪।୧: କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରି ସେମାନଙ୍କୁ ଶିଳ୍ପ ସଂସ୍ଥା ନିମନ୍ତେ ପ୍ରସ୍ତୁତ କରିବା ଲକ୍ଷ୍ୟରେ କିଟ୍‍ ଓ ନ୍ୟାସନାଲ୍‍ ବିଲଡିଂ କନ୍‍ଷ୍ଟ୍ରକ୍‍ସନ୍‍ କର୍ପୋରେସନ୍‍ (ଏନ୍‍ବିସିସି) ମଧ୍ୟରେ ଏକ ବୁଝାମଣା ମଙ୍ଗଳବାର ସ୍ୱାକ୍ଷରିତ ହୋଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କିଟ୍‍ ପକ୍ଷରୁ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ଏନ୍‍ବିସିସି ପକ୍ଷରୁ ଏନବିସିସିର ମାନବସମ୍ବଳ ବିଭାଗ ଜେନେରାଲ୍‍ ମ୍ୟାନେଜର ଦେବାଶିଷ ଶତପଥୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁଯାୟୀ ଏନବିସିସି ପକ୍ଷରୁ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ଶିଳ୍ପ ଆଧାରିତ ଇଣ୍ଟର୍ଣ୍ଣସିପ୍‍ ପ୍ରଦାନ କରାଯିବ। ଏଥିରେ ଅନୁସୁଚିତ ଜାତି, ଅନୁସୂଚିତ ଜନଜାତି ଓ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। ଏହି ଅବସରରେ ଶ୍ରୀ ସାମନ୍ତ କିଟ୍‍ କ୍ୟାମ୍ପସରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏନ୍‍ବିସିସିକୁ ଅନୁରୋଧ କରିଥିଲେ। ଶ୍ରୀ ସାମନ୍ତ କହିଥିଲେ କିଟ୍‍ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ଅଭିବୃଦ୍ଧି ହାସଲ କରିଛି। ଏହାଛଡା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗରେ ମଧ୍ୟ ଉତ୍କର୍ଷତା ପ୍ରତିପାଦନ କରିପାରିଛି। ଶ୍ରୀ ଶତପଥୀ କହିଥିଲେ, ଓଡ଼ିଶାର ଯେଉଁ ଅଳ୍ପ କେତୋଟି ଅନୁଷ୍ଠାନ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି ସେଥିମଧ୍ୟରୁ କିଟ୍‍ ଅନ୍ୟତମ। ଏହି ବୁଝାମଣା ଅନୁସାରେ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀମାନେ ଦକ୍ଷତା ବିକାଶ ତାଲିମ ସହ ରାଜ୍ୟ ବାହାରେ ଥିବା ଏନ୍‍ବିସିସିର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିପାରିବେ। କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଓ ପୁନରୁଦ୍ଧାର ଉଦ୍ଦେଶ୍ୟରେ କନ୍ଧମାଳ ପ୍ରଶାସନ ଓ ଏନ୍‍ବିସିସି ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ସ୍ୱାକ୍ଷର କରିଥିବା ବେଳେ ଏନ୍‍ବିସିସି ପକ୍ଷରୁ ଜିଏମ ଶ୍ରୀ ଶତପଥୀ ସ୍ୱାକ୍ଷର କରିଥିଲେ।

Comments are closed, but trackbacks and pingbacks are open.