ଖଡଗେ ମନୋନୀତ କରିବେ ସିଡବ୍ଲ୍ୟୁସି ସଦସ୍ୟ !

29

କଂଗ୍ରେସର ପରିଚାଳନା କମିଟି ସର୍ବସମ୍ମତିକ୍ରମେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି କୁ ସଦସ୍ୟ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଦଳର ନେତା ଜୟରାମ ରମେଶ ଶୁକ୍ରବାର କହିଛନ୍ତି । ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଷ୍ଟିୟରିଂ କମିଟି ସିଡବ୍ଲ୍ୟୁସି ନିର୍ବାଚନ ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଥିଲା । ରମେଶ କହିଛନ୍ତି ଯେ କମିଟି ପ୍ରାୟ ଅଢ଼େଇ ଘଣ୍ଟା ଧରି ସିଡବ୍ଲ୍ୟୁସି ଉପରେ ଆଲୋଚନା କରିଥିଲା ଏବଂ ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ସିଡବ୍ଲ୍ୟୁସି ପାଇଁ ସଦସ୍ୟ ମନୋନୀତ କରିବାର ଅଧିକାର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ବୈଠକରେ କମିଟିର ୪୫ରୁ ଅଧିକ ସଦସ୍ୟ କଂଗ୍ରେସ ସମ୍ବିଧାନରେ ବିଭିନ୍ନ ପ୍ରସ୍ତାବିତ ସଂଶୋଧନ ସମେତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାଯାଇଛି । ସଂରକ୍ଷଣ ଏବଂ ମହିଳା ସଶକ୍ତୀକରଣ ଏବଂ ଦଳ ମଧ୍ୟରେ ସେମାନଙ୍କ ଅଂଶଗ୍ରହଣ ବିଷୟରେ ଅନ୍ତର୍ଭୁକ୍ତ ୧୬ଟି ଧାରା ଏବଂ ୩୨ଟି ନିୟମରେ ସଂଶୋଧନ ପ୍ରସ୍ତାବ ବୈଠକରେ ଦିଆଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଏହି ବ୍ୟବସ୍ଥାଗୁଡ଼ିକ ଉପରେ ସଂପୃକ୍ତ କମିଟିଗୁଡ଼ିକ ଆଲୋଚନା କରି ଅନୁମୋଦନ କରିବା ପରେ ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହା ଉପରେ ଆଲୋଚନା କରାଯିବ ।

ଉଲ୍ଲେଖଯୋଗ୍ୟ, ରାୟପୁରରେ ଫେବ୍ରୁଆରି ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କଂଗ୍ରେସର ୮୫ତମ ପୂର୍ଣ୍ଣାଙ୍ଗ ଅଧିବେଶନ ଚାଲିଛି ।

Comments are closed, but trackbacks and pingbacks are open.