ST କମିଶନ ରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ, ଆସନ୍ତା ୨୮ରେ ପରବର୍ତ୍ତୀ ଶୁଣାଣି

18

ନୂଆଦିଲ୍ଲୀସ୍ଥିତ ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଉପସ୍ଥିତିରେ ହେଲା ଶୁଣାଣି । ବାରମ୍ବାର ସମନ ପରେ ଶେଷରେ ହାଜର ହୋଇଛନ୍ତି ଜିଲ୍ଲାପାଳ । ଏମିତିକି ସମନ ସତ୍ତ୍ୱେ ହାଜର ନହେବାରୁ ୱାରେଣ୍ଟ ଜାରି ହୋଇଥିଲା । ଜିଲ୍ଲାପାଳଙ୍କୁ ଆଣି ହାଜର କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ତେବେ ଆସନ୍ତା ଜୁନ୍‌ ୨୮ରେ ମାମଲାରେ ହେବ ପରବର୍ତ୍ତୀ ଶୁଣାଣି । ଜନଜାତିଙ୍କ ଅଭିଯୋଗ ସମ୍ପର୍କିତ ବିଭିନ୍ନ ମାମଲାରେ ହାଜର ପାଇଁ ଥିଲା ନିର୍ଦ୍ଦେଶ।

ସୂଚନାଅନୁସାରେ କେନ୍ଦୁଝର ଆଦିବାସୀ ବହୁଳ ଜିଲ୍ଲା ଭାବରେ ଜଣାଶୁଣା । ଜିଲ୍ଲାରେ ରହୁଥିବା ଜନଜାତି ସମ୍ପ୍ରଦାୟ ଲୋକମାନେ ବିଭିନ୍ନ ସମସ୍ୟା (ବ୍ୟକ୍ତିଗତ /ସାମୁହିକ )ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଜିଲ୍ଲାପାଳ ସେମାନଙ୍କ ସମସ୍ୟା ନ ଶୁଣିବାରୁ ସେମାନେ ବାଧ୍ୟ ହୋଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହାପରେ ଗତ ଏକ ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ଆବେଦନର ବିଭିନ୍ନ ସମସ୍ୟା ଉପରେ ଶୁଣାଣି କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । କମିଶନଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ଠାକରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ଗତ ୧୯ ତାରିଖରେ ଏହା ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଉକ୍ତ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଜିଲ୍ଲାପାଳ ଜିଲ୍ଲାପାଳ ଆଶିଷ ଠାକରେ ଆଜି ନୂଆଦିଲ୍ଲୀସ୍ଥିତ ଜାତୀୟ ଜନଜାତି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି I

Comments are closed, but trackbacks and pingbacks are open.