ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ

24

କେନ୍ଦ୍ରାପଡା ୨୭।୭: ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ଲାଞ୍ଚ ନେବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭିଜିଲାନ୍ସ ଧରିଥିବା ଜଣାପଡ଼ିଛି ।
ସୂଚନାନୁସାରେ ଜଣେ ପିଅନ ଙ୍କୁ ବଦଳି କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ହାତରେ ଲାଞ୍ଚ ଟଙ୍କା ସହ ଧରାପଡ଼ିଛନ୍ତି । ତେବେ ତିନିମୁହାଣି ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ଡିଇଓ ଲାଞ୍ଚନେବାର କଥା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସଞ୍ଜୀବ ସିଂଙ୍କ ୨ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଗୋଟିଏ କେନ୍ଦ୍ରାପଡ଼ା ସ୍ଥିତ ଭଡ଼ାଘରେ ଚଢ଼ାଉ ଚାଲିଥିବା ବେଳେ ଅନ୍ୟଟି ବାଲେଶ୍ୱରରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌ । ସବୁଠାରୁ ବଡ଼ କଥା ହେଲା ଆଉ ମାତ୍ର ୩ ଦିନ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଅବସର ନେଇଥାଆନ୍ତେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ ନିମପୁର ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଲାଞ୍ଚ ନେଉଥିଲେ l ଲାଞ୍ଚ ଟଙ୍କା ସହ ଧରାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ବର ସ୍ଥିତ ପୈତୃକ ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରୁଥିବା ଜଣାପଡିଛି l ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

Comments are closed, but trackbacks and pingbacks are open.