ଜେଲରେ ରହିବେ କେଜ୍ରିୱାଲ, ନିମ୍ନ ଅଦାଲତଙ୍କ ଜାମିନ ନିଷ୍ପତ୍ତି ଉପରେ ରୋକ ଜାରି ରଖିଲେ ହାଇକୋର୍ଟ

227

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି। କେଜ୍ରିୱାଲଙ୍କୁ ନିମ୍ନ ଅଦାଲତରୁ ଦିଆଯାଇଥିବା ଜାମିନରେ ଦିଲ୍ଲୀ ହାଇକୋର୍ଟ ରୋକ ଜାରି ରଖିଛନ୍ତି। ନିକଟରେ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଏହାକୁ ହାଇକୋର୍ଟରେ ଇଡି ଚ୍ୟାଲେଞ୍ଜ କରିଥିଲା। ବାସ୍ତବରେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିଲା। ନିକଟରେ ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ କେଜ୍ରିୱାଲ ସୁପ୍ରିମକୋର୍ଟରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଥିଲେ। ଏହା ପରେ ସେ ଜୁନ୍ ୨ ତାରିଖରେ ସେ ତିହାରରେ ଆତ୍ମସମର୍ପଣ କରିଥିଲେ। ତା’ପରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ପରାମର୍ଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେଜ୍ରିୱାଲ ନିମ୍ନ ଅଦାଲତରେ ଜାମିନ ଆବେଦନ କରିଥିଲେ। ଏହା ଉପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟରେ ଜାମିନ ନିଷ୍ପତ୍ତିକୁ ଇଡି ଚ୍ୟାଲେଞ୍ଜ କରିଥିଲା। ଗତ ଶୁଣାଣିରେ ହାଇକୋର୍ଟ ଜାମିନ ନାମଞ୍ଜୁର କରିଥିଲେ। ଏହି ପ୍ରତିବନ୍ଧକ ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ କହିଥିଲେ।

Comments are closed, but trackbacks and pingbacks are open.