ମୁଖ୍ୟମନ୍ତ୍ରୀ ପଦମର୍ଯ୍ୟାଦା ରଖନ୍ତୁ: ପ୍ରତାପ ଦେବ

83

ଭୁବନେଶ୍ୱର: ଗତ କିଛି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ସଭାସମିତିରେ ବିଜେଡିକୁ ଶାଣିତ ଆକ୍ରମଣ କରୁଥିବାବେଳେ ଏବେ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ କାଉଣ୍ଟର କରିଛି । କିଛି କହିବା ବେଳେ ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରଖନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଖଣିଯଚା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଦୁର୍ଭାଗ୍ୟଜନକ । ସେତେବେଳେ ସେ କାହିଁକି କହିଲେନି । ସେ ଭୁଲିଯାଉଛନ୍ତି ଯେ ଏବେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ । ସେ କହିବା ପୂର୍ବରୁ ଚିନ୍ତା କରିବା କଥା, ପଦ ମର୍ଯ୍ୟାଦା ରଖିବା କଥା । ବିରୋଧୀ ଦଳ ନେତା ଥିବା ସମୟରେ ସେ ଚାହିଁଥିଲେ ଏ କଥା ଗଣମାଧ୍ୟମରେ କହି ପାରିଥାନ୍ତେ। ଚାହିଁଥିଲେ ସେ ସେତେବେଳେ କେସ କରିପାରିଥାନ୍ତେ । ଏକଥା ନକରିକି ଏବେ ମୁଖ୍ୟମମନ୍ତ୍ରୀ ହେବା ପରେ ଏପରି ମନ୍ତବ୍ୟ ଦେବେ କେତେ ଦୂର ସମୀଚିନ ତାହା ସେ ତର୍ଜମା କରନ୍ତୁ । ତାଙ୍କ ଦଳର ସର୍ବୋଚ୍ଚ ନେତା କହିଛନ୍ତି, ଓଡ଼ିଶା ଖଣି ସଂସ୍କାରରେ ଆଗୁଆ ଅଛି । ସଂସଦରେ ତାଙ୍କ ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ଏହା ସ୍ବୀକାର କରିଛନ୍ତି । ଏହାକୁ କେମିତି ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି । ସଂଘୀୟ ବ୍ୟବସ୍ଥାରେ କିପରି ଶାସନ କରିବାକୁ ହୁଏ ତାହା ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଶିକ୍ଷା କରିବା ଉଚିତ । କ୍ଷମତାକୁ ଆସିକି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡନ୍ତୁ । ରାଜ୍ୟବାସୀ ବିଜେପିକୁ ଜନମତ ଦେଇଛନ୍ତି । ତେଣୁ ସେ ତାଙ୍କ ପଦ ମର୍ୟ୍ୟାଦା ରକ୍ଷା କରିବା ଉଚିତ ବୋଲି ପ୍ରତାପ ଦେବ କହିଛନ୍ତି।

Comments are closed, but trackbacks and pingbacks are open.