ଲଦାଖରେ ଶାନ୍ତି ରଖ, ସଂପର୍କ ସୁଧୁରିବ : ଚୀନର ନୂଆ ବିଦେଶମନ୍ତ୍ରୀଙ୍କୁ କହିଲେ ଡୋଭାଲ୍

27

ଜୋହାନ୍ସବର୍ଗ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚୀନର ନବ ନିଯୁକ୍ତ ବିଦେଶ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସ୍ବାଭାବିକ କରିବାକୁ ହେଲେ ଲଦାଖ ଭଳି ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଅଣାଯିବା ଉଚିତ୍ ବୋଲି ଡୋଭାଲ ଏହି ଅବସରରେ ୟିଙ୍କୁ ଜଣାଇଛନ୍ତି ।ଜୋହାନେସବର୍ଗରେ ‘ଫ୍ରେଣ୍ଡସ୍ ଅଫ୍ ବ୍ରିକ୍ସ’ ବୈଠକ ଅବସରରେ ଅଜିତ ଡୋଭାଲ ଏବଂ ୱାଙ୍ଗ୍ ୟି ସୋମବାର ସାକ୍ଷାତ କରିଥିଲେ। ବୈଠକରେ ଡୋଭାଲ ଉଲ୍ଲେଖ କରିଛନ୍ତି ଯେ ଭାରତ-ଚୀନ  ସୀମାର ପଶ୍ଚିମ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପରିସ୍ଥିତି ୨୦୨୦ ପରଠାରୁ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ଭରସା ଏବଂ ରାଜନୈତିକ ସମ୍ପର୍କକୁ ଦୁର୍ବଳ କରିଛି । ଏଣୁ ତାହାକୁ ସ୍ବାଭାବିକ କରିବାକୁ ହେଲେ ପ୍ରଥମେ ଲଦାଖରେ ଶାନ୍ତି ରହିବା ଉଚିତ୍ ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେଲା ନିଖୋଜ  ଥିବା ଚୀନର ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗଙ୍କୁ ମନ୍ତ୍ରୀପଦରୁ ହଟାଇ ୱାଙ୍ଗ୍ ୟିଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରାଯାଇଛି ।

ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନ ଅନୁସାରେ ଭାରତ-ଚୀନ ସମ୍ପର୍କ ସୁଧାରିବା ଉପରେ ଦୁଇପକ୍ଷ ରାଜି ହୋଇଛନ୍ତି । କାରଣ ଏହି ସମ୍ପର୍କ କେବଳ ଏହି ଦୁଇ ଦେଶ ପାଇଁ ନୁହେଁ, ସମଗ୍ର ଏସିଆ ଓ ବିଶ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ ।

Comments are closed, but trackbacks and pingbacks are open.