ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି

46

ଭୁବନେଶ୍ବର: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ। ବାଉଁଶ ପାତିଆ ଓ କନାର ନିର୍ମିତ ଚୂଳ ତ୍ରିମୁଣ୍ଡି ଶ୍ରୀମସ୍ତକରେ ଉପରେ ରହିଥାଏ। ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ। କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। କିନ୍ତୁ ଶ୍ରୀମନ୍ଦିରରେ ଗତକାଲି ଠାରୁ କାର୍ତ୍ତିକ ନୀତିକାନ୍ତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ କାର୍ତ୍ତିକ ମାସ ନୀତି ପାଳନ କରାଯାଇଥାଏ। ଏହି ମାସରେ ଦୈନନ୍ଦିନ ନୀତି ବ୍ୟତୀତ ସ୍ୱତନ୍ତ୍ର ଭାବେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ, ପଞ୍ଚୁକ ବେଶ,ବାଳଧୂପ, ଦିବା ପହୁଡ଼ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ୟ୍ୟନ୍ତ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ।

Comments are closed, but trackbacks and pingbacks are open.