ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ

22

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରଂପରା, ସଂସ୍କୃତି, ଐତିହ୍ୟ, ଆଂଚଳିକ ବ୍ୟଞ୍ଜନ ଓ ରନ୍ଧନ କୌଶଳକୁ ନେଇ କୁଇଜ୍ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ହୋଇଯାଇଛି । ସମ୍ ଡାଏଗ୍ନୋଷ୍ଟିକ୍‌ସ ଓ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ସହଯୋଗରେ ଏବଂ ଇକିଗାଇ ଭେନ୍‌ଚର୍ସର ପରିଚାଳନାରେ ଆୟୋଜିତ ଏହି କୁଇଜ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ, କଲେଜ ଓ କର୍ପୋରେଟ୍ ସଂସ୍ଥାର ୫୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ । ଇକିଗାଇ ଭେନ୍‌ଚର୍ସର ପ୍ରତିଷ୍ଠାତା ତଥା ଚିଫ୍ କ୍ରିଏଟିଭ୍ ଅଫିସର ଶ୍ରୀ କଳ୍ପିତ କାୟ ମହାନ୍ତିଙ୍କ ପରିକଳ୍ପନା ଓ ସଂଯୋଜନାରେ ଆୟୋଜିତ ଏହି କୁଇଜ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ଆଂଚଳିକ ଖାଦ୍ୟ, ରନ୍ଧନ ଇତିହାସ, ପାରଂପରିକ ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟ ସହ ଜଡ଼ିତ ସାଂସ୍କୃତିକ ପରଂପରା ଉପରେ ବିଭିନ୍ନ ପ୍ରଶ୍ନ ଓ ରାଉଣ୍ଡ ରହିଥିଲା ।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ କର୍ମଜୀବୀମାନଙ୍କୁ ଏକ ମଂଚରେ ଏକତ୍ରିତ କରିବା ସହ ଓଡ଼ିଶାର ବିବିଧ ଖାଦ୍ୟ ପରଂପରାକୁ ଜାଣିବା ଓ ଅନୁସନ୍ଧାନ କରିବାର ସୁଯୋଗ ଦେଇଥିଲା । ଏହି ପ୍ରତିଯୋଗିତାରେ ଅନୁରାଗ ଓ ଦିବ୍ୟଜ୍ୟୋତିଙ୍କ ଟିମ୍ ବିଜେତା ହୋଇଥିବା ବେଳେ ସିଦ୍ଧାର୍ଥ ଓ ଇଭାନ୍‌ଙ୍କ ଟିମ୍ ପ୍ରଥମ ରନର-ଅପ୍ ହୋଇଥିଲେ । ମୁକ୍ତି ଓ ରୋନିଶାଙ୍କ ଟିମ୍ ଦ୍ୱିତୀୟ ରନର-ଅପ୍ ବିଜେତା ହୋଇଥିଲେ । କାର୍ଯ୍ୟକ୍ରମରେ ମାଷ୍ଟରଚେଫ୍ ଫାଇନାଲିଷ୍ଟ ସ୍ମୃତିଶ୍ରୀ ସିଂହ ଏବଂ ଫୁଡ ଇନ୍‌ଫ୍ଲୁଏନ୍ସର ରୋହିତ ଶ୍ରୀବାସ୍ତବ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ସେମାନେ ଯୁବପିଢ଼ି ମଧ୍ୟରେ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ପରଂପରା ପ୍ରତି ଆଗ୍ରହ ବଢ଼ାଇବା ସହ ଏହାର ସଂରକ୍ଷଣ ଓ ପ୍ରଚାର ଉପରେ ଗୁରୁତ୍ୱ ଦେଇଥିଲେ ।
ଏକ୍ସଆଇଏମ୍‌ବିର ପୁରାତନ ଛାତ୍ର କଳ୍ପିତଙ୍କ ଦ୍ୱାରା ଗଠିତ ଇକାଗାଇ ଭେନ୍‌ଚର୍ସ ଏକ ଭିଡିଓ ପ୍ରଡକ୍ସନ୍ ଓ ବ୍ରାଣ୍ଡ୍ ଷ୍ଟୋରିଟେଲିଂ ଷ୍ଟୁଡିଓ ଯାହା ପକ୍ଷରୁ ‘କରି-ଓ-ସିଟି’ ର ଆୟୋଜନ କରାଯାଇଛି । ଏହି ଅବସରରେ କଳ୍ପିତ କହିଥିଲେ, “କରି-ଓ-ସିଟି’ର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ଆଗାମୀ ପିଢ଼ି ନିକଟରେ ପହଂଚାଇବା । ଖାଦ୍ୟ ଭଳି ଏକ ନିଜସ୍ୱ ଅନୁଭବ ସହ ଜଡ଼ିତ ବିଷୟକୁ ନେଇ ସ୍କୁଲ, କଲେଜ ଓ କର୍ପୋରେଟ୍ ଟିମ୍‌ଗୁଡ଼ିକ ଏକ ମଂଚରେ ପ୍ରତିଯୋଗିତା କରିବା ଏହି ପ୍ରୟାସର ଉଦ୍ଦେଶ୍ୟକୁ ବହନ କରୁଛି ।”

Comments are closed, but trackbacks and pingbacks are open.