କିମ୍‌ସରେ କଙ୍ଗାରୁ ମଦର କେୟାର (କେଏମ୍‌ସି) କର୍ମଶାଳା

23

ଭୁବନେଶ୍ୱର, ୨୪ ।୧: ଓଡ଼ିଶାରେ ନବଜାତ ଶିଶୁ ମୃତ୍ୟୁହାର କମ କରିବା ଲକ୍ଷ୍ୟ ନେଇ ମା ଓ ଛୁଆ ମଧ୍ୟରେ ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ ଭାବେ ଜଣାଶୁଣା କଙ୍ଗାରୁ ମଦର କେୟାର (କେଏମ୍‌ସି) ମାଧ୍ୟମରେ କମ୍ ଓଜନ ଓ ଅପରିପକ୍ୱ ଶିଶୁମାନଙ୍କର ପାରମ୍ପରିକ ପଦ୍ଧତିରେ କିପରି ଯତ୍ନ ନିଆଯିବ ସେ ନେଇ କଳିଙ୍ଗ ଇନଷ୍ଟିିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‍ସେନ୍ (କିମ୍‌ସ)ରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ୟୁନିସେଫ ଏବଂ ନିପିର ସହାୟତାରେ ଓଡ଼ିଶା ନବଜାତ ଶିଶୁ ବିଶେଷଜ୍ଞ ସଂଘ ତରଫରୁ ଏକ ଜାତୀୟ ସମ୍ମିଳନୀ ଜାନୁଆରୀ ୧୯ରୁ ଆରମ୍ଭ ହୋଇଥିଲା । ଭୁବନେଶ୍ୱର ଏମ୍‌ସଠାରେ ଏହାର ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ଅନ୍ତିମ କର୍ମଶାଳା ୨୩ ଓ ୨୪ ତାରିଖ ଦୁଇଦିନ ବ୍ୟାପୀ କିମ୍‌ସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ପ୍ରଫେସର, ଡାକ୍ତର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଛାତ୍ରଛାତ୍ରୀ ଓ ସେବିକାମାନେ ଅଂଶ ଗ୍ରହଣ କରିଥିଲେ । ନବଜାତକ ଶିଶୁର ଦେଖାଶୁଣା କରିବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ହୁଏ, କଙ୍ଗାରୁ ପଦ୍ଧତି ଓ ଏହାର ସୁଫଳ, ନବଜାତକ ଶିଶୁଙ୍କୁ ସଂକ୍ରମଣରୁ କିପରି ବଞ୍ଚାଯାଇପାରିବ ସେ ବିଷୟରେ ବିଶେଷଜ୍ଞମାନେ ତାଲିମ ଦେଇଥିଲେ । କିମ୍‌ସରେ ଅନୁଷ୍ଠିତ ଏହି କର୍ମଶାଳାକୁ କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାନାଡା ନବଜାତ ଶିଶୁ ବିଶେଷଜ୍ଞ ସଂଘ କର୍ମକର୍ତ୍ତା ପ୍ରଫେସର ମୋହିନୀ ସିଂଘାଲ, କେଏମସି ଫାଉଣ୍ଡେସନ୍ ମେନେଜିଂ ଟ୍ରଷ୍ଟି ପ୍ରଫେସର ଶଶୀବାଣି, ଏନ୍‌ଏଚ୍‌ଏମ୍ ନୋଡାଲ ଅଫିସର ପ୍ରଫେସର ଶ୍ୟାମା କାନୁନ୍‌ଗୋ, ଏନ୍‌ଏଚ୍‌ଏମ୍ ଓଡ଼ିଶା କନ୍‌ସଲଟାଣ୍ଟ ଡା. ଆଦିତ୍ୟ ମହାପାତ୍ର, କିମ୍‌ସ ନିେଓନାଟାଲୋଜିଷ୍ଟ ଡା. ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ଗୁଜୁରାଟରୁ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ । ଜଣେ ନବଜାତକ ଶିଶୁର ସୁସ୍ଥ ଜୀବନ ଜୀଇଁବା ପାଇଁ କେଏମ୍‌ସିର ବହୁ ଗୁରୁତ୍ୱ ରହିଛି । ସମସ୍ତ ଏସ୍‌ସିୟୁ ସହ କେଏମସିକୁ ଯୋଡ଼ା ଯାଇପାରିଲେ ନବଜାତକ ଶିଶୁ ମୃତ୍ୟୁହାର ହ୍ରାସ କରାଯାଇପାରିବ ବୋଲି ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ ଦେଇଥିଲେ ।

Comments are closed, but trackbacks and pingbacks are open.