ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରେ ନଗଦ ଟଙ୍କା ଠୁଳ ମାମଲା: ଘଟଣା ସମୟର ଭିଡିଓ ଜାରି କଲେ ସୁପ୍ରିମକୋର୍ଟ

117

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଦିଲ୍ଲୀ ହାଇକୋର୍ଟ ଜଜ୍ ଯଶବନ୍ତ ବର୍ମାଙ୍କ ଘର ଭିତରର ଭିଡିଓ । ଘଟଣା ସମୟର ଭିଡିଓକୁ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଅଧାପୋଡା ଅବସ୍ଥାରେ ପୁଳା ପୁଳା ଟଙ୍କା ବିଡା ଏଠିସେଠି ପଡିରହିଛି  । ନିଆଁକୁ ଦମକଳ ବାହିନୀ ଆୟତ୍ତ କରୁଥିବା ବେଳେ ଏତେ ପରିମାଣର ଟଙ୍କା ଦେଖି ତାଜୁବ ହୋଇଥିଲେ । ସେହିପରି ଜଷ୍ଟିସ ବର୍ମାଙ୍କ ବୟାନ ସୁପ୍ରିମକୋର୍ଟ ୱେବ ସାଇଟରେ ଅପଡେଟ ହୋଇଛି । ଏପଟେ ଟଙ୍କା ମିଳିବା ମାମଲାରେ ତଦନ୍ତ କରିବ କମିଟି। ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । କମିଟିରେ ପଞ୍ଜାବ-ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି, ହିମାଚଳପ୍ରଦେଶ ଓ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ଏଥିସହିତ କୌଣସି ନ୍ୟାୟିକ କାର୍ଯ୍ୟ ସମ୍ପାଦନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ମାର୍ଚ୍ଚ ୧୪ ରାତି ୧୧ ଟା ୩୫ରେ ଯଶବନ୍ତ ବର୍ମାଙ୍କ ଦିଲ୍ଲୀ ଲୁଟିୟନ୍ସ ବାସଭବନରେ ଅଗ୍ନିକାଣ୍ଡ ସମ୍ପର୍କରେ ଫୋନ କଲ ପାଇ ଦୁଇଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଘରୋଇ ସାମଗ୍ରୀରେ ଭର୍ତ୍ତି ଏକ ଷ୍ଟୋର ରୁମରେ ନିଆଁ ଲାଗିଥିଲା । ନିଆଁକୁ ନିୟନ୍ତ୍ରଣ କରିବାକୁ ୧୫ ମିନିଟ୍ ସମୟ ଲାଗିଥିଲା । ସୂଚନାଯୋଗ୍ୟ, ୨୦୦୬ ମସିହାରେ ସେ ଆହ୍ଲାବାଦ ହାଇକୋର୍ଟରେ ଜଣେ ସ୍ୱତନ୍ତ୍ର ଓକିଲ ହୋଇଥିଲେ । ସେ ୨୦୧୨ ରୁ ୨୦୧୩ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଚିଫ୍ ଷ୍ଟାଣ୍ଡିଂ କାଉନସିଲ୍ ହୋଇଥିଲେ । ଅଗଷ୍ଟ ୨୦୧୩ରେ ଆହ୍ଲାବାଦ ହାଇକୋର୍ଟରେ ବରିଷ୍ଠ ଓକିଲ ହୋଇଥିଲେ । ୧୩ ଅକ୍ଟୋବର ୨୦୧୪ରେ ସେ ଆହ୍ଲାବାଦ ହାଇକୋର୍ଟରେ ଅତିରିକ୍ତ ବିଚାରପତି ହେଲେ । ଏହା ପରେ, ୧ ଫେବୃଆରୀ ୨୦୧୬ରେ ସେ ଆହ୍ଲାବାଦ ହାଇକୋର୍ଟରେ ସ୍ଥାୟୀ ବିଚାରପତି ହେଲେ ଏବଂ ୧୧ ଅକ୍ଟୋବର ୨୦୨୧ରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇଥିଲେ ।

Comments are closed, but trackbacks and pingbacks are open.