ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ତାଳପତ୍ର

141

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲିଧରଙ୍କ କାର୍ୟ୍ୟକାଳ ସମାପ୍ତ ହେଉଥିବାରୁ ନୂଆ ମୁଖ୍ୟ ବିଚାରପତି ଭାବେ ଶୁଭାଶିଷ ତାଳପତ୍ର ଚଳିତ ମାସ ୮ ତାରିଖରେ ଶପଥ ନେବେ । ତେବେ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ୟ୍ୟନ୍ତ କାର୍ୟ୍ୟ କରିବେ । 

ଜଷ୍ଟିସ୍ ଡ. ଏସ୍. ମୁରଲିଧରଙ୍କ ଅବସର ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୦କୁ କମିଯିବ । ଆସନ୍ତା ମାସରେ ଆଉ ଜଣେ ବିଚାରପତି ଅବସର ନେଉଥିବାରୁ ଏହି ସଂଖ୍ୟା ପୁଣି ୧୯କୁ ହ୍ରାସ ପାଇବ । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ମୁଖ୍ୟ ବିଚାରପତିଙ୍କୁ ମିଶାଇ ୩୩କୁ ବୃଦ୍ଧି କରାଯାଇଥିଲେ ମଧ୍ୟ ପଦବୀ ପୁରଣରେ କେନ୍ଦ୍ରୀୟ କର୍ତୃପକ୍ଷଙ୍କ ଶିଥିଳତା ଯୋଗୁ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୪୦ ପ୍ରତିଶତ ବିଚାରପତି ପଦବୀ ଖାଲି ପଡିଥିବା ଯୋଗୁ ମାମଲା ପରିଚାଳନା ଓ ଫଇସଲା କ୍ଷେତ୍ରରେ ଗୁରୁତର ସମସ୍ୟା ଲାଗି ରହୁଥିବା ଆଇନଜୀବୀମାନେ କହୁଛନ୍ତି । ଏବେ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୪୫ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ତେବେ ଗତ ୬ମାସ ମଧ୍ୟରେ ଏଠାରେ ଯେତେ ସଂଖ୍ୟକ ମାମଲା ରୁଜୁ ହୋଇଛି ଫଇସଲା ହୋଇଥିବା ମାମଲା ସଂଖ୍ୟା ତାହାଠାରୁ ଢେର ଅଧିକ ରହୁଥିଲେ ବି ୧୦ ବର୍ଷରୁ ୩୦ବର୍ଷ ଓ ତଦ୍ଧୁର୍ଦ୍ଧ୍ୱ ସମୟ ଧରି ହଜାର ହଜାର ମାମଲା ବି ବିଚାରପତି ଅଭାବ ଓ ଅନ୍ୟାନ୍ୟ କାରଣରୁ ଗଡୁଛି ।
ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବେ ଜଷ୍ଟିସ୍ ତାଳପତ୍ର ୨୦୨୨ ଜୁନ୍ ରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୧ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ୍ ତାଳପତ୍ର ପରେ ତ୍ରିପୁରା ହାଇକୋର୍ଟର ବିଚାରପତି ଓ କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି । ୧୯୬୧ ଅକ୍ଟୋବର ୪ ତାରିଖରେ ତ୍ରିପୁରାର ଉଦୟପୁରରେ ଜନ୍ମିତ ଜଷ୍ଟିସ୍ ତାଳପତ୍ର ଚଳିତ ବର୍ଷ ଅକ୍ଟୋବର ୩ ତାରିଖରେ ୬୨ବର୍ଷରେ ପଦାର୍ପଣ କରୁଥିବାରୁ ସେହିଦିନ ସେ ଅବସର ଗ୍ରହଣ କରିବେ । ମୋଟାମୋଟି ଭାବେ ପାଖାପାଖି ୨ମାସ ସେ ଏହି ପଦବୀରେ ରହିବେ । କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୯୦ରୁ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରେ ୨୦୧୧ରେ ସେ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଆଜି ୮ ତାରିଖରେ ଓଡ଼ିଶା ହାଇକୋର୍ଟ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଜଷ୍ଟିସ୍ ତାଳପତ୍ରଙ୍କୁ ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇବା କାର୍ୟ୍ୟକ୍ରମ ରହିଛି ।

Comments are closed, but trackbacks and pingbacks are open.