ବିଜେଡିରେ ସାମିଲ ହେଲେ ଝାରସୁଗୁଡ଼ାର ବରିଷ୍ଠ ବିଜେପି ନେତା ତ୍ରିନାଥ ଗୁଆଳ

32

ଭୁବନେଶ୍ୱର : ଝାରସୁଗୁଡାର ବରିଷ୍ଠ ବିଜେପି ନେତା ତଥା ଝାରସୁଗୁଡ଼ା ବାର୍ ଆସୋସିଏସନର ସଭାପତି  ତ୍ରିନାଥ ଗୁଆଳ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀ ଗୁଆଳ ପ୍ରକାଶ କରିଛନ୍ତି।

ଆଜି ସନ୍ଧ୍ୟାରେ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦଳୀୟ ଉତ୍ତରୀୟ ଦେଇ ଶ୍ରୀ ଗୁଆଳଙ୍କୁ ଦଳକୁ ସ୍ଵାଗତ କରିଥିଲେ। ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ସଭାରେ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶାରଦା ପ୍ରସାଦ ନାୟକ ଏବଂ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଗୁଆଳ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏବେ ସାରା ଓଡ଼ିଶାରେ ଯେଉଁ ବିକାଶର ପର୍ବ ଚାଲିଛି, ତାହା ମୋତେ ଅଭିଭୂତ କରିଛି। ଏହା ବ୍ୟତୀତ ଏବେ ଝାରସୁଗୁଡାରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତାମାନେ ଯେଉଁଭଳି ଭାବେ ଜଣେ ବାପ ଛେଉଣ୍ଡ ଝିଅକୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ କୁତ୍ସା ରଟନା କରି ଆସୁଛନ୍ତି, ତାହା ମୋତେ ମର୍ମାହତ କରିବାରୁ ମୁଁ ବିଜେପି ଛାଡିବାକୁ ନିଷ୍ପତ୍ତି ନେଲି। ଏବେ ଦଳ ମୋତେ ଯେଉଁ ଦାୟିତ୍ଵ ଦେବ, ମୁଁ ତାହା ପାଳନ କରିବି ଏବଂ ଝାରସୁଗୁଡାରେ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ କାର୍ଯ୍ୟ କରିବି।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଗୁଆଳ ବିଗତ ମୁନିସିପାଲିଟି ନିର୍ବାଚନରେ ଝାରସୁଗୁଡ଼ା ମୁନିସିପାଲିଟିର ବିଜେପିରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଥିଲେ। ଚଳିତ ଉପନିର୍ବାଚନରେ ମଧ୍ୟ ସେ ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ଥିଲେ।

Comments are closed, but trackbacks and pingbacks are open.