ବଢ଼ିଲା ଜୟନାରାୟଣ ମିଶ୍ରଙ୍କ ଅଡୁଆ; ୧୭ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

33

ପ୍ରାୟତଃ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦରେ ରହୁଥିବା ବିଜେପି ବିଧାୟକ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ପୁଣି ଅଡୁଆ ବଢିଛି । ୨୦୧୮ ମସିହାର ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ହାଜର ପାଇଁ ଜୟନାରାୟଣଙ୍କୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ କୋର୍ଟ ନୋଟିସ୍ ପଠାଇଛନ୍ତି । ଆସନ୍ତା ୧୭ ତାରିଖରେ ଜୟନାରାୟଣଙ୍କ ସମେତ ଅନ୍ୟ ୧୨ ଜଣ ଅଭିଯୁକ୍ତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଦୌରାଜଜ୍ । ଏହି ମାମଲାରେ ଜୟନାରାୟଣ ମିଶ୍ର ଏବେ ଜାମିନରେ ଅଛନ୍ତି ।

ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ । ଧାର୍ଯ୍ୟ ସର୍ତ୍ତାବଳୀର ଖିଲାପ କରିଥିବାରୁ ତାଙ୍କ ଜାମିନ ରଦ୍ଦ କରିବାକୁ ବିମଳ ଭୁଏ ନାମକ ଜଣେ ବ୍ୟକ୍ତି କୋର୍ଟରେ ମାମଲା ରୁଜୁ କରିଛନ୍ତି । ନିଜ ଆବେଦନରେ ସେ ଦର୍ଶାଇଛନ୍ତି, ଶାରୀରିକ ଅସୁସ୍ଥତା ଆଳ ଦେଖାଇ ସେ କୋର୍ଟରେ ହାଜର ହେଉ ନାହାନ୍ତି । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ, ରାଲି ଓ ଧାରଣାରେ ଯୋଗ ଦେଉ ନଥିବା ଅଭିଯୋଗ ହୋଇଛି ।

ଜୟନାରାୟଣଙ୍କ ସହ ଅନ୍ୟ ୧୨ ଜଣଙ୍କୁ ୧୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍‌ । ସେହିପରି ୨୦୨୦ ମସିହାରେ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଆସନ୍ତା ୨୩ ତାରିଖରେ ଶୁଣାଣି ହେବାକୁ ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି । ଝାରବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା । ଜୟନାରାୟଣ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ ପାଇକମାଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

Comments are closed, but trackbacks and pingbacks are open.