ନନ୍ଦନକାନନରେ ଜଳହସ୍ତୀ ମୃତ

51

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୩ନଂ. ଖୁଆଡ଼  ଜଳାଶୟରେ ୩ ବର୍ଷର ଏକ ଅଣ୍ଡିରା ଜଳହସ୍ତୀର ମୃତ୍ୟୁ ଘଟିଛି । ଶନିବାର  ସକାଳେ ଭାସମାନ ଅବସ୍ଥାରେ ବିଭାଗୀୟ  ଅଧିକାରୀମାନେ ଜଳହସ୍ତୀକୁ ଉଦ୍ଧାର  କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଜଳାଶୟରେ ଜଳହସ୍ତୀଟିର ମୃତ୍ୟୁ  ଘଟିଥିବା ଅନୁମାନ କରାଯାଉଛି ।  ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ  ବ୍ୟବଚ୍ଛେଦ କରାଯାଇ ନମୁନା ପରୀକ୍ଷା ପାଇଁ  ପଠାଯାଇଛି । ଚଳିତ ମାସ ୯ ତାରିଖରେ  ଏଠାରୁ କଲିକତା ଅଲିପୁର ଚିଡ଼ିଆଖାନାକୁ  ୨ଟି ଜଳହସ୍ତୀ ଯାଇଥିବାବେଳେ  ଆଜି ଏକ ଅଣ୍ଡିରା ଜଳହସ୍ତୀର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ  ଏମାନଙ୍କ ସଂଖ୍ୟା ୯କୁ ଖସିଆସିଛି ।  ପ୍ରାଣୀ ଉଦ୍ୟାନର ୬୨ ଓ ୬୩ ନଂ  ଖୁଆଡ଼ର ଜଳାଶୟରେ ୧୨ଟି ଜଳହସ୍ତୀ  ରହୁଥିଲେ । ଗତ ୧ ତାରିଖ ରାତିରେ ୬୨  ନଂ ଖୁଆଡ଼ରେ ଏକ ୩ ବର୍ଷର ଅଣ୍ଡିରା  ଜଳହସ୍ତୀ ଏକ ମାଈ ଜଳହସ୍ତୀ ସହିତ  ମିଳନ କରିବାକୁ ଚେଷ୍ଟା କରୁଥିବାବେଳେ  ଉକ୍ତ ଖୁଆଡ଼ରେ ଥିବା ଏକ ବଡ଼ ଜଳହସ୍ତୀ  ଆକ୍ରମଣ କରିଥିଲା । ବଡ଼ ଜଳହସ୍ତୀ  ଆକ୍ରମଣରେ ଛୋଟ ଜଳହସ୍ତୀ ଗୁରୁତର ହୋଇ ପାଖ ୬୩ ନଂ ଖୁଆଡ଼ ତାରଜାଲି  ଭାଙ୍ଗି ଚାଲିଯାଇଥିଲା । ସେବେଠାରୁ  ୬୩ ନଂ ଖୁଆଡ଼ର ଗୋଟିଏ କୋଣରେ  ଜଳହସ୍ତୀଟି ଲୁଚି ରହୁଥିଲା । ଠିକ୍‌  ଭାବେ ଖାଦ୍ୟ ଗ୍ରହଣ କରୁନଥିଲା ।  ପ୍ରାଣୀ ଚିକିତ୍ସକମାନେ ତା’ର ଚିକିତ୍ସା  କରୁଥିଲେ ମଧ୍ୟ ଖୁଆଡ଼ରେ ଅଧିକ  ପାଣି ଥିବାରୁ ଚିକିତ୍ସାରେ ବାଧା ସୃଷ୍ଟି  ହେଉଥିଲା । ତେବେ ଚିକିତ୍ସାଧୀନ  ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି।

Comments are closed, but trackbacks and pingbacks are open.