କଂଗ୍ରେସରେ ସାମିଲ ହେଲେ ଜୟରାମ ପାଙ୍ଗି

122

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ସେ ଦଳରେ ସାମିଲ ହୋଇଛନ୍ତି । ହାତ ଧରିବା ପରେ ଜୟରାମ ପାଙ୍ଗୀ କହିଛନ୍ତି ଯେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଓ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବାକୁ ସେ ଏହି ଦଳରେ ଯୋଗ ଦେଇଛନ୍ତି । ରାଜ୍ୟକୁ ବଞ୍ଚାଇବାକୁ ହେଲେ ଆସନ୍ତା ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ ପଡ଼ିବ ବୋଲି ସେ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି ।

କଂଗ୍ରେସରେ ମିଶିବା ପରେ ବାପାଙ୍କୁ ମନେ ପକାଇ ବାପାଙ୍କ ଦଳରେ ଯୋଗ ଦେଲି କହିଛନ୍ତି ଜୟରାମ ପାଙ୍ଗୀ । ଯେଉଁ ପର୍ଯ୍ୟନ୍ତ କଂଗ୍ରେସକୁ ନ ଆସିଛୁ ଘରକୁ ଆସିବୁନି କହିଥିଲେ । ଆଜି ବାପାଙ୍କ ଆତ୍ମା ଖୁସି ହୋଇଥିବ କହିବା ସାଙ୍ଗକୁ ଆଗକୁ ନେତୃତ୍ୱ ନେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଜୟରାମ ପାଙ୍ଗୀ ବଞ୍ଚିଥିବା ପର୍ଯ୍ୟନ୍ତ ଆଦିବାସୀଙ୍କ ଜମିକୁ ହସ୍ତାନ୍ତର କରିବାକୁ ଦେବେ ନାହିଁ ବୋଲି କଂଗ୍ରେସରେ ମିଶିବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି । ଏହା ପୂର୍ବରୁ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି (BRS)ରେ ଥିଲେ । ତା’ ପୂର୍ବରୁ ସେ ବିଜେପି, ବିଜେଡି ଓ ଜନତା ଦଳରେ ଥିଲେ । ସେ 4 ଥର ବିଧାନସଭାକୁ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ 1977 ମସିହାରେ ଜନତା ଦଳ ଟିକେଟ୍‌ରେ ପଟ୍ଟାଙ୍ଗୀ ବିଧାନସଭା ଆସନରୁ ଜିତି ରାଜନୈତିକ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ 1990 ରେ ମଧ୍ୟ ଜନତା ଦଳ ପ୍ରାର୍ଥୀ ଭାବେ ବିଧାୟକ ‌ନିର୍ବାଚିତ ହୋଇଥିଲେ । ପରେ 2000 ଓ 2004 ରେ ବିଜେଡି ଟିକେଟରେ ପଟ୍ଟାଙ୍ଗୀରୁ ବିଜୟ ଲାଭ କରିଥିଲେ । 2009 ରେ ତାଙ୍କୁ କୋରାପୁଟ ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ କରିଥିଲା । ପରେ ତାଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରାଯାଇଥିଲା । ଏହାପରେ ସେ ବିଜେପିକୁ ଆସିଥିଲେ ଏବଂ କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ସେ ବିଆରଏସରେ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.