ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପ ଧାଡ଼ି ଦର୍ଶନ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି । ଏହା ସହିତ ପରିଚାଳନା କମିଟି ଅଧିନରେ ମୋଟ ୧୪ଟି ସବକମିଟି ଗଠନ କରାଯାଇଛି । ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ନିଳାଦ୍ରୀ ଭକ୍ତ ନିବାସଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ସୁରୁଖରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରର ନୀତିକାନ୍ତିଠାରୁ ଆରମ୍ଭ କରି ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ବୈଠକ ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଯେ ନାଟମଣ୍ଡପରେ ଧାଡ଼ି ଦର୍ଶନ ପ୍ରସ୍ତାବକୁ କମିଟି ଅନୁମତି ଦେଇଛି । ଯଦ୍ୱାରା ପରୀକ୍ଷାମୂଳକଭାବେ ଧାଡ଼ି ଦର୍ଶନ କରାଯିବ । ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୯ ଜଣିଆ କମିଟି ଗଠନ କରାଯିବ । ଏଥିରେ ନାଟମଣ୍ଡପର ଡାକ୍ତର ସିଦ୍ଧେଶ୍ୱର ମହାପାତ୍ର ଏବଂ ଅନ୍ୟ ସେବାୟତବୃନ୍ଦଙ୍କୁ ସାମିଲ କରାଯିବ । ଏହି କମିଟି ଏକ ଏସଓପି ପ୍ରସ୍ତୁତ କରି ପରିଚାଳନା କମିଟିକୁ ପ୍ରଦାନ କରିବେ । ଏହା ପରେ ବିଭିନ୍ନ ଆଡ଼ୁ ତର୍ଜମା କରି ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ କରାଯିବ । ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ବାଧା ନଉପୁଜେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ନେତୃତ୍ଵାଧୀନ କମିଟି ସଂଶୋଧନ କରିବ । ତେବେ କେବେ ଧାଡ଼ି ଦର୍ଶନ କରାଯିବ , ସେଥିପାଇଁ କୌଣସି ଦିନ ସ୍ଥିର ହୋଇ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
Comments are closed, but trackbacks and pingbacks are open.