ପୁରୀ :୨୦୨୬ କ୍ୟାଲେଣ୍ଡରରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ବଳଭଦ୍ର ଏବଂ ବଳଭଦ୍ରଙ୍କ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଥିବା ଏକ ଫଟୋକୁ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ୨୦୨୬ ରେ ସ୍ଥାନ ଦିଆଯାଇଛି।ସେହିପରି ରଥଯାତ୍ରାର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଏକ ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ସ୍ଥାନ ପାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ୨୦୨୬ କ୍ୟାଲେଣ୍ଡର ରେ ଏଭଳି ତ୍ରୁଟିକୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ସେବାୟତ ସମାଲୋଚନା କରିଛନ୍ତି। କ୍ୟାଲେଣ୍ଡର ଛପା ହେବା ପୂର୍ବରୁ କାହା ପରାମର୍ଶରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ରୁଟିପୂର୍ଣ୍ଣ ଫଟୋ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି ତାକୁ ନେଇ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି। ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଉଲ୍ଲଘଂନ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ବିବାଦ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଏହା ଏକ ତାଳପତ୍ର ଚିତ୍ର । ଯାହାକି ୩୦୦/୪୦୦ ବର୍ଷ ପୁରାତନ। ଶିଳ୍ପୀଙ୍କ ଦ୍ଵାରା ପ୍ରଦତ୍ତ ଚିତ୍ରକୁ କେବଳ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି।
Comments are closed, but trackbacks and pingbacks are open.