ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ

567

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ବିଜେପି ତରଫରୁ ମମତା ମହନ୍ତଙ୍କ ପରେ ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ବିଧାନସଭା ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଜଗନ୍ନାଥ ପ୍ରଧାନଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ । ବିଜେପି ବିଧାୟକ ଅଗସ୍ତି ବେହେରା ତାଙ୍କର ପ୍ରଥମ ପ୍ରସ୍ତାବକ ରହିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ଲକ୍ଷ୍ମଣ ବାଗ ପ୍ରମୁଖ ମଧ୍ୟ ପ୍ରସ୍ତାବକ ଭାବରେ ସାମିଲ ହୋଇଛନ୍ତି । ତେବେ ସେ ବିଜେପିର ଜଣେ ଡମି କ୍ୟାଣ୍ଡିଡେଟ୍ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଜଗନ୍ନାଥ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଭରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବିଜେପିରୁ ମମତା ମହାନ୍ତ ନାମାଙ୍କନ ଭରିଥିବା ବେଳେ ଜଗନ୍ନାଥ ପ୍ରଧାନଙ୍କ ଏଭଳି ପଦକ୍ଷେପରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ଜଗନ୍ନାଥ ପ୍ରଧାନ ଚଳିତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ଆସନରୁ ନିର୍ବାଚନ ଲଢ଼ି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଠାରୁ ପରାଜିତ ହୋଇଥିଲେ ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ଟାଣୁଆ ନେତ୍ରୀ ମମତା ମହାନ୍ତ ବୁଧବାର ନାମାଙ୍କନ ଭରିଛନ୍ତି । ସେ ବିଧାନସଭା ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପ୍ରଥମ ପ୍ରସ୍ତାବକ ରହିଛନ୍ତି । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବିଜେପିର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି

Comments are closed, but trackbacks and pingbacks are open.