ଜଗା ଦର୍ଶନ କଲେ ପାକିସ୍ଥାନ ଭକ୍ତ

18

ନଟଖଟିଆ କାଳିଆ ଠାକୁର । କେତେବେଳେ ସେ କେଉଁ ନୀଳା କରିବେ ତାହା ସମସ୍ତଙ୍କୁ ଅଛପା । ତାର ପ୍ରେମରେ ସମସ୍ତେ ବନ୍ଧା । କାଳି ପ୍ରେମରେ ବାନ୍ଧି ହୋଇ ଏବେ ଶତ୍ରୁରାଷ୍ଟ ପାକିସ୍ତାନରୁ ଆସି ପୁରୀରେ ପହଞ୍ଚିଛନ୍ତି ଭକ୍ତ । ଆଉ ଜଗନ୍ନାଥଙ୍କୁ ଦର୍ଶନ ପରେ ଗାନ କରୁଛନ୍ତି ହରେ କୃଷ୍ଣ ହରେ ରାମ । ପାକିସ୍ତାନ କରାଚି ସହରରୁ 45 ଜଣ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପର ଜଗନ୍ନାଥ ଧ୍ବନିରେ କମ୍ପି ଉଠିଥିଲା ବଡଦାଣ୍ଡ ।

ଏନେଇ ପାକିସ୍ତାନରୁ ଆସିଥିବା ଭକ୍ତ କହିଛନ୍ତି ଯେ,”ମହାପ୍ରଭୁଙ୍କ ଦର୍ଶନ ଅତ୍ୟନ୍ତ ଦିବ୍ୟ ଦର୍ଶନ ଥିଲା । ଏହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଗତ 2009 ମସିହାରୁ ପାକିସ୍ତାନର କରାଚି ସହରରେ ମହାପ୍ରଭୁଙ୍କ ରଥ ଯାତ୍ରା ଅନୁଷ୍ଠିତ ହେଉଛି । 2022 ମସିହାରେ 14 ତମ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । 14 ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ପରେ ମହାପ୍ରଭୁଙ୍କ କୃପାରୁ ଆମେ ପାକିସ୍ତାନରୁ ପୁରୀ ଆସିବା ସମ୍ଭବ ହୋଇଛି । ପୁରୀ ଆସିବାରେ ଉଭୟ ଭାରତ ଓ ପାକିସ୍ତାନ ସରକାର ସହଯୋଗ କରିଥିବାରୁ ଆମେ ଉଭୟ ସରକାରଙ୍କ ସହଯୋଗକୁ ଉଚ୍ଚ ପ୍ରଶଂସା କରୁଛୁ। ”

ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଗତ 11 ତାରିଖରେ ପାକିସ୍ତାନରୁ ଭାରତ ଯାତ୍ରା ଆରମ୍ଭ କରିଥିଲେ ଏହି ଭକ୍ତ ମାନେ । ମକର ସଂକ୍ରାନ୍ତିରେ ହରିଦ୍ଵାରରେ ପହଞ୍ଚି ଭ୍ରମଣ କରିଥିଲେ । ପରେ ବିଭିନ୍ନ ତୀର୍ଥସ୍ଥଳୀ ଭ୍ରମଣ କରି ଶେଷରେ ପୁରୀରେ ପହଞ୍ଚିଥିଲେ । ଏହାପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ତେବେ ରଥଯାତ୍ରା ଆୟୋଜନରେ ପାକିସ୍ତାନ ସରକାର ସହଯୋଗ କରୁଥିବା ସେମାନେ ମତ ରଖିଛନ୍ତି । ତେବେ ହିନ୍ଦୁ ମନ୍ଦିର ସେମାନଙ୍କ ପାଇଁ କେତେ ସୁରକ୍ଷିତ ପ୍ରଶ୍ନ କରାଯିବାରୁ ସେ ଉତ୍ତର ରଖି ନଥିଲେ । କହିଥିଲେ ଆମେ ଭକ୍ତ ହିସାବରେ ଭ୍ରମଣରେ ଆସିଛୁ ।

ସେହିପରି ପାକିସ୍ତାନରେ ହିନ୍ଦୁ ମାନେ ଭଲଥିବା ଭକ୍ତ ଜଣଙ୍କ ମତ ପ୍ରକାଶ କରିଥିଲେ । ବର୍ତ୍ତମାନ ପାକିସ୍ତାନରେ ଦରଦାମ ଆକାଶ ଛୁଆଁ ଥିବା ମଧ୍ୟ କହିଥିଲେ ଭକ୍ତ ଜଣଙ୍କ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଭାଇଚାରାର ସମ୍ପର୍କ ବଜାୟ ରହୁ ବୋଲି ସେମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ମୋଟ 45 ଜଣ ପାକିସ୍ତାନରୁ ଭକ୍ତ ଆସିଥିଲେ । ପ୍ରତିବର୍ଷ ଏହି ସଂସ୍ଥା ପାକିସ୍ତାନର ଭକ୍ତ ଆଣି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିଥାଏ ।

Comments are closed, but trackbacks and pingbacks are open.