ଇଟିକିଲି ମିଟିକିଲି ଉତ୍ସବ ଦ୍ୱିତୀୟ ଦିବସ: ସଂଗୀତ ଓ ନୃତ୍ୟରେ ଝୁମିଲେ ପ୍ରତିଯୋଗୀ

312

ଭୁବନେଶ୍ୱର: ପିଲାଙ୍କ ଅନୁଷ୍ଠାନ ଇଟିକିଲି ମିଟିକିଲିର ୩୦ତମ ଉତ୍ସବ ଅବସରରେ ତିନିଦିନିଆ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ମେ ୧୧ ତାରିଖ ଥିଲା ଦ୍ୱିତୀୟ ଦିବସ। ଦିବସର ପ୍ରଥମ କାର୍ଯ୍ୟକ୍ରମ କଣ୍ଠ-ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ କଣ୍ଠଶିଳ୍ପୀମାନେ ସୁମଧୁର ସ୍ୱରରେ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିବାବେଳେ, ସନ୍ଧ୍ୟାରେ ସଙ୍ଗୀତଭତ୍ତିକ ନୃତ୍ୟରେ ଶିଶୁ ନୃତ୍ୟଶିଳ୍ପୀମାନେ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ। କଣ୍ଠସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ସଭାପତି ଶରତ କୁମାର ଦାଶଙ୍କ ପୌରୋହିତ୍ୟରେ ପ୍ରଶାସକ କବି ତଥା ଶିଶୁସାହିତ୍ୟିକ ଧନଞ୍ଜୟ ସ୍ୱାଇଁ, ପାରାଦ୍ୱୀପ ଫସ୍ଫେଟସ୍ ଲିମିଟେଡ୍‌ର ଡି.ଜି.ଏମ୍‌. ସୁଧୀ ରଞ୍ଜନ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। କଣ୍ଠ-ସଙ୍ଗୀତ ପ୍ରତିଯୋଗିତାରେ କଣ୍ଠଶିଳ୍ପୀ ହରପ୍ରିୟା ସ୍ୱାଇଁ, ସଂଗୀତଗୁରୁ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଅଧ୍ୟାପକ ଜେନାମଣି ସଞ୍ଜିବ କୁମାର ପ୍ରମୁଖ ବିଚାରକ ଭାବରେ ଯୋଗଦାନ କରି ଯୋଗ୍ୟ ଶିଶୁ ସଂଗୀତ-ଶିଳ୍ପୀମାନଙ୍କୁ ଚୟନ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ସଙ୍ଗୀତଭତ୍ତିକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଚିତ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଅବସରପ୍ରାପ୍ତ ପ୍ରଶାସକ ଓ କବି ପ୍ରଦୀପ କୁମାର ବିଶ୍ୱାଳ ଓ ଖୋରଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କ ପାଇଁ ବକ୍ତବ୍ୟ ରଖିଥିଲେ। ସଙ୍ଗୀତଭତ୍ତିକ ନୃତ୍ୟ ପ୍ରତିଯୋଗିତାରେ ନୃତ୍ୟଶିଳ୍ପୀ ଗୁରୁ ଜ୍ୟୋତିର୍ମୟୀ ଦାସ, ଉପସ୍ଥାପିକା ତଥା ନୃତ୍ୟଶିଳ୍ପୀ ଋତୁପର୍ଣ୍ଣା ମହାପାତ୍ର, ନୃତ୍ୟଶିଳ୍ପୀ ସୋନାଲୀ କୁଣ୍ଡ ପ୍ରମୁଖ ବିଚାରକ ଭାବରେ ଯୋଗଦାନ କରି ଯୋଗ୍ୟ ଶିଶୁ ନୃତ୍ୟଶିଳ୍ପୀମାନଙ୍କୁ ଚୟନ କରିଥିଲେ। ଇଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ସାଂସ୍କୃତିକ ସଂପାଦିକା ଅନିତା ରଥଙ୍କ ସମେତ ସଦସ୍ୟ ରଜନୀକାନ୍ତ ରାଉତ, ଜୟପ୍ରକାଶ ମିଶ୍ର, ସବିତା ତ୍ରିପାଠୀ, ପ୍ରବୀଣା ପରିଡ଼ା ଓ ପ୍ରିୟଦର୍ଶୀ ସୌମ୍ୟକାନ୍ତ ପ୍ରମୁଖ ସହଯୋଗ କରିଥିଲେ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ରୟାଲ ହାୟର ସେକଣ୍ଡାରୀ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜିର ଅଡ଼ିଟୋରିଅମ୍‌ଠାରେ ଆୟୋଜିତ ଆଜିର ବିଭିନ୍ନ ପ୍ରତିଯୋଗିତା ଭିତ୍ତିକ କାର୍ଯ୍ୟକ୍ରମରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଶହରୁ ଊର୍ଦ୍ଧ୍ୱ ଶିଶୁ-କିଶୋର ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଆଗାମୀ ଜୁନ୨୮ ତାରିଖ ଦିନ ଜୟଦେବ ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ପ୍ରତିଯୋଗିତାର ଯୋଗ୍ୟ ବିବେଚିତ ଶିଶୁପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଚିବ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.