ଡାଳିମ୍ବ ଚାଷ କରି ହୁଅନ୍ତୁ ଲାଭବାନ

43

ଏହି ଫଳ ବହୁ ପୂର୍ବରୁ ଭାରତ ରେ ଚାଷ କରାଯାଇ ଆସୁଛି । ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବରୁ ଏହା ମଧ୍ୟପ୍ରାଚ୍ୟ ଦେଶମାନଙ୍କରେ ଚାଷ କରାଯାଇ ଆସୁଅଛି । ଆମ ଦେଶରେ ଏହା ମହାରାଷ୍ଟ୍ର, ଗୁଜରାଟ ତଥା ଉତ୍ତର ପ୍ରଦେଶରେ ବିଶେଷ ଭାବେ ଚାଷ କରାଯାଏ । ଓଡ଼ିଶାର କେତେକ ସ୍ଥାନରେ ଡାଳିମ୍ବ ଚାଷ କରାଯାଇପାରିବ ବୋଲି ଜଣାଯାଇଛି ।
ଡାଳିମ୍ବ ଫଳ ମଧ୍ୟରେ ମଞ୍ଜି ଓ ଶସ ରହିଥାଏ । ଶସରେ ଶତକଡ଼ା ୭୮ ଭାଗ ଜଳୀୟ ଅଂଶ, ୧୪.୫ ଭାଗ ଶ୍ୱେତସାର, ୧.୬ ଭାଗ ପୁଷ୍ଟିସାର, ୫.୧ ଭାଗ ତନ୍ତୁଜାତୀୟ ପଦାର୍ଥ, ୦.୧ ଭାଗ ସ୍ନେହସାର ଓ ୦.୭ ଭାଗ ଖଣିଜ ଲବଣ ରହିଥାଏ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ମଧ୍ୟ ରହିଥିବାର ଜଣାଯାଏ ।
ଶୀତ ହେଉଥିବା ଶୁଷ୍କ ଜଳବାୟୁରେ ଏହା ଭଲ ବଢ଼ିଥାଏ । ଅଧିକ ଆର୍ଦ୍ର ଜଳବାୟୁରେ ଫଳର ଗୁଣାତ୍ମକ ମାନ ହ୍ରାସ ପାଇଥାଏ । ସମୁଦ୍ର ପତ୍ତନଠାରୁ ଆରମ୍ଭ କରି ୧୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହା ଚାଷ କରାଯାଇପାରିବ । ନିଗିଡ଼ା ଦୋରସା ମାଟିରେ ଏହା ଭଲ ହୋଇଥାଏ । ଏହି ଗଛର ଲୁଣି ସହନଶୀଳ କ୍ଷମତା ରହିଛି ।
ଅଧିକ ଅମଳ ପାଇବା ପାଇଁ ବିଭିନ୍ନ କିସମର ଡାଳିମ୍ବ ଚାଷ କରାଯାଇପାରିବ । ସେସବୁ ମଧ୍ୟରେ ପେପର ସେଲ୍‌, ସ୍ପାନିଶ୍ ରୁବି, ଧୋଲକା, ଗଣେଷ, ଭାଡ଼କି, କାନ୍ଧାରୀ, ରୁବି, ଜ୍ୟୋତି, ମୃଦଳ, ସିଓ-୧, କାବୁଲ ଆଦିର ନାମ ଉଲ୍ଲେଖଯୋଗ୍ୟ । ଗୁଟି କଲମୀ, ଡାଳ କଲମୀ ଓ ମଞ୍ଜି ସାହାଯ୍ୟରେ ଡାଳିମ୍ବର ବଂଶବିସ୍ତାର ହୋଇଥାଏ । ଜୁଲାଇ-ଅଗଷ୍ଟ ମାସରେ ଏହି ଗଛ ଲଗାଯାଇଥାଏ ।
ଧାଡ଼ିକୁ ଧାଡ଼ି ୫ ମିଟର ଓ ଗଛକୁ ଗଛ ୪ ମିଟର ଦୂରତାରେ ଗଛ ଲଗାଯାଏ । ଏହି ହିସାବରେ ଏକର ପ୍ରତି ୨୦୦ ଗଛ ଲାଗିପାରିବ । ଗାତର ଲମ୍ବ, ଓସାର ଓ ଗଭୀରତା ୭୫ ସେଣ୍ଟିମିଟର ହୋଇଥିବା ଆବଶ୍ୟକ । ଉଇ ଲାଗିବାର ଆଶଙ୍କା ଥିଲେ ପ୍ରତି ଗାତରେ ୫୦ ଗ୍ରାମ ହିସାବରେ କ୍ଲୋରୋପାଇରିଫସ ଗୁଣ୍ଡ ପ୍ରୟୋଗ କରିବାକୁ ପଡ଼ିବ । ଗାତ ପିଛା ୨ ଝୁଡ଼ି ସଢ଼ା ଖତ ହେବା ଦରକାର । ପ୍ରତି ବର୍ଷ ଗଛ ପ୍ରତି ୩୨୦ ଗ୍ରାମ ଯୁବକ୍ଷାର, ୧୦୦ ଗ୍ରାମ ଫସଫରସ ଓ ୨୩୦ ଗ୍ରାମ ପଟାସ ସାର ଦେବାକୁ ପଡ଼ିବ । ଏଥିପାଇଁ ୭୦୦ ଗ୍ରାମ ୟୁରିଆ, ୭୦୦ ଗ୍ରାମ ସିଙ୍ଗଲ ସୁପର ଫସଫେଟ୍ ଓ ୩୮୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ପଡ଼ିବ । ଏହା ବଦଳରେ ୨୨୦ ଗ୍ରାମ ଡିଏପି, ୬୨୦ ଗ୍ରାମ ୟୁରିଆ ଓ ୩୮୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ହେବ । ଏହା ବଦଳରେ ୩୮୦ ଗ୍ରାମ ଏନପିେକେ (୧୦-୨୬-୨୬), ୬୨୦ ଗ୍ରାମ ୟୁରିଆ ଓ ୨୨୦ ଗ୍ରାମ ମ୍ୟୁରେଟ ଅଫ୍ ପଟାସ ବ୍ୟବହାର କରାଯାଇପାରିବ । ଏସବୁ ସାରକୁ ଦୁଇଭାଗ କରି ଥରେ ବର୍ଷା ଋତୁ ଆରମ୍ଭରେ ଓ ଆଉଥରେ ବର୍ଷଋତୁ ଶେଷରେ ପ୍ରୟୋଗ କରାଯାଇପାରେ ।
ମଝିରେ ଗଛର ଅଦରକାରୀ ଡାଳମାନଙ୍କୁ କାଟିଦେବା ଆବଶ୍ୟକ । ଖରାଦିନେ ଓ ଶୀତଦିନେ ପାଣି ମଡ଼ାଇବା ଉଚିତ । ମାଟି ଶୁଖିଗଲେ ଗଛ ଭଲ ବଢ଼ିପାରେ ନାହିଁ ।
ବେଳେବେଳେ ଡାଳିମ୍ବ ଗଛର ଫଳ ଫାଟିଯାଇଥାଏ । ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ବୋରନ ମିଶାଇ ଗଛରେ ସ୍ପ୍ରେ କଲେ ଏହି ସମସ୍ୟା ଦୂର ହୁଏ । ଡାଳିମ୍ବ ଗଛରେ ଫଳ ବିନ୍ଧା ପୋକ ଲାଗିଥାଏ । ବେଳେବେଳେ ସଁବାଳୁଆମାନେ ପତ୍ର ଖାଇଦିଅନ୍ତି । ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର ମାଲାଥିଅନ ବା କୁଇନାଲଫସ ମିଶାଇ ସ୍ପ୍ରେ କରାଯାଇପାରିବ ।
ଫଳ ସଢ଼ା ରୋଗ ହେଲେ ଫଳଗୁଡ଼ିକ କଷି ଅବସ୍ଥାରେ ସଢ଼ିଯାଏ । ପରେ ଏଗୁଡ଼ିକ ଗଛରୁ ଝଡ଼ିପଡ଼େ । ସଢ଼ା ଫଳଗୁଡ଼ିକୁ ବାହାର କରିଦେବା ଆବଶ୍ୟକ । ପ୍ରତି ଲିଟର ପାଣି ସହିତ ୧ ଗ୍ରାମ ବାଭିଷ୍ଟିନ୍ ବା ଧନୁଷ୍ଟିନ ମିଶାଇ ଗଛରେ ସ୍ପ୍ରେ କଲେ ଏହି ରୋଗ କମିଯାଏ ।
ଗଛ ଲଗାଇବାର ୪-୫ ବର୍ଷ ପରେ ଫଳ ଆସିଥାଏ । ପୂର୍ଣ୍ଣ ଫଳନ୍ତି ଗଛରେ ପ୍ରତ୍ୟେକ ଗଛରୁ ପ୍ରାୟ ୧୮୦-୨୦୦ଟି ଫଳ ଅମଳ ହୋଇଥାଏ ।

Comments are closed, but trackbacks and pingbacks are open.