ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀଙ୍କ ସୋଆ ପରିଦର୍ଶନ

209

ଡିପ୍ ଟେକ୍ ଏବଂ ଷ୍ଟାର୍ଟ-ଅପ୍ ସମ୍ବନ୍ଧୀୟ ସହଭାଗିତା ନେଇ ଆଲୋଚନା
ଭୁବନେଶ୍ୱର, ୨୦/୧୨: ଇସ୍ରାଏଲ୍ ଦୂତବାସର ନବୀକରଣ ଅଧିକାରୀ ଶ୍ରୀମତି ମାୟା ସର୍ମନ୍ ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିବା ବେଳେ ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ନବୀକରଣ, ଗବେଷଣା ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଅନେକ ଆଲୋଚନା କରିଛନ୍ତି ।
ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ଡିଫେନ୍ସ ଟେକ୍ନୋଲଜି, ଷ୍ଟାର୍ଟ-ଅପ୍‌, ଏମ୍‌ଏସ୍‌ଏମ୍‌ଇ, ରିସର୍ଚ୍ଚ ଏବଂ ଡିଜିଟାଲ୍ ଡିପ୍ଲୋମାସିକୁ ନେଇ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀମତି ସର୍ମନ୍ ସୋଆର ନେତୃବର୍ଗ, ଫ୍ୟାକଲ୍ଟି ମେମ୍ବର, ଷ୍ଟାର୍ଟ-ଅପ୍ ଉଦ୍ୟୋକ୍ତା ଏବଂ ଆବିଷ୍କାର ଦିଗରେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।
ଶ୍ରୀମତି ସର୍ମନ୍ ଡିପ୍ ଟେକ୍ ପଦକ୍ଷେପ, ନବୀକରଣ ଏବଂ ଉଦ୍ୟୋଗୀକରଣ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିବା ବେଳେ ଆଇଟିଇଆର୍‌ର ଫ୍ୟାକଲ୍ଟି ଡକ୍ଟର ଭାରତ ଜେ.ଆର ସାହୁ ଏବଂ ଚିନ୍ମୟ ଅୟସ ନବୀକରଣ ଏବଂ ଷ୍ଟାର୍ଟ-ଅପ୍ ସମ୍ବନ୍ଧରେ ତାଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ଶିକ୍ଷା, ଗବେଷଣା ଏବଂ ନବୀକରଣ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ସୋଆର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
ସୋଆର କ୍ୱାଂଟମ୍ ସାଇନ୍ସ ଆଣ୍ଡ କ୍ୱାଂଟମ ଟେକ୍ନୋଲଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ କ୍ୱାଂଟମ ସାଇନ୍ସ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଗବେଷଣା ସମ୍ପର୍କିତ ଅବଦାନ ସମ୍ପର୍କରେ ଅବଗତ କରାଇଥିବା ବେଳେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୋଆ କିଭଳି କାର୍ଯ୍ୟରେ ଅଗ୍ରଗତି କରୁଛି ସେ ସମ୍ପର୍କରେ ଆଇଟିିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଅବଗତ କରାଇଥିଲେ ।
ସୋଆ ସିଆଇଆଇର ଡିଜିଏମ୍ ଶ୍ରୀ ରାଜୀବ କୁମାର, ଏଆଇସି-ସୋଆ ଫାଉଣ୍ଡେସନ୍‌ର ଭବିଷ୍ୟତର ରୂପରେଖ ଏବଂ ଷ୍ଟାର୍ଟ-ଅପ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

Comments are closed, but trackbacks and pingbacks are open.