ଇସ୍ରାଏଲ-ଲେବାନନ ମୁହାଁମୁହିଁ: ଘନଘନ ମିସାଇଲ ମାଡ଼ରେ ୧୫ ମୃତ, ବଢୁଛି ମୃତ୍ୟୁସଂଖ୍ୟା

66

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସଂଘର୍ଷ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଲେବାନନ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ସେହିପରି ଇରାନର କୋମ ସହରରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଆଉ ୫ ଜଣ ପ୍ରାଣ ହରାଇଛନ୍ତି। ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଜାରି ରହିଥିବା ଏହି ଯୁଦ୍ଧ ଆଜି ୩୮ ଦିନରେ ପହଞ୍ଚିଛି। ଏସବୁ ମଧ୍ୟରେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ହର୍ମୁଜ ପ୍ରଣାଳୀ’ ଖୋଲିବା ପାଇଁ ଇରାନ ଏକ ନୂଆ ସର୍ତ୍ତ ରଖିଛି। ଇରାନ ରାଷ୍ଟ୍ରପତିଙ୍କ ପ୍ରବକ୍ତା ସୈଇଦ ମହମ୍ମଦ ମେହଦୀ ତବାତବାଇ କହିଛନ୍ତି ଯେ, ଏହି ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପରେ ମିଳୁଥିବା ରାଜସ୍ୱର କିଛି ଅଂଶ ଇରାନକୁ ‘ଯୁଦ୍ଧ କ୍ଷତିପୂରଣ’ ଭାବେ ପ୍ରଦାନ କରାଯିବ। ଯଦି ଏହି ସର୍ତ୍ତ ପୂରଣ ହୁଏ, ତେବେ ଯାଇ ଜଳମାର୍ଗ ସମସ୍ତଙ୍କ ପାଇଁ ଖୋଲାଯିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ପରେ ଇରାନ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି। ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇଥିଲେ ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଇରାନ ହର୍ମୁଜ ପ୍ରଣାଳୀ ନଖୋଲେ, ତେବେ ସେଠାକାର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ କରାଯିବ। ତେବେ ପରେ ଏହି ସମୟ ସୀମାକୁ ଆଉ ୨୪ ଘଣ୍ଟା ବଢ଼ାଇ ଦିଆଯାଇଛି। ନୂଆ ସମୟ ସୀମା ଅନୁସାରେ, ଭାରତୀୟ ସମୟ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ଇରାନକୁ ମହଲତ ମିଳିଛି।

Comments are closed, but trackbacks and pingbacks are open.